ଆଜି ସିରମ୍ ଇନଷ୍ଟିଚୁଟରୁ ସାରା ଦେଶକୁ ଆସୁଛି ଟିକା : ବିମାନ ଓ ଟ୍ରକ ଯୋଗେ ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକାର ପରିବହନ; ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା

ସିରମରୁ ପ୍ରଥମେ ଦେଶର ୬୦ ଟି ସ୍ଥାନକୁ ହେବ ଟିକା ପରିବହନ

159

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ କାମ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ , ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବା ଟ୍ରକ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ ।

ପ୍ରଥମ ଭାଗରେ କୋଭିସିଲଡ୍ ଟିକାର ପରିବହନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସାଧାରଣ ଭାବେ କୁଲ୍ ଏକ୍ସ କୁଲ୍ ଲିମିଟେଡ କମ୍ପାନୀର ଟ୍ରକରେ କରୋନା ଟିକାକୁ ପରିବହନ କାମ ସଂପନ୍ନ ହେବ । ସୋମବାର ସଂଧ୍ୟାରେ ଏହି ଟ୍ରକ ପୁନେର ମଂଜରୀ ଫ୍ୟାକ୍ଟ୍ରିରେ ଏହା ପହଁଚି ସାରିଛି । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ତିଆରି କରିଥିବା କୋଭିସିଲଡ୍ ଟିକା ଏଠାରୁ ଟ୍ରକ୍ ଯୋଗେ ପ୍ରେରଣ ହେବ । ଟ୍ରକ୍ ଯୋଗେ ବିମାନ ବନ୍ଦରକୁ ଟିକା ଆସିବା ପରେ ପ୍ରଥମ ଦଫାରେ ଗୁଜରାଟର ଅହମ୍ମଦାବାଦକୁ କୋଭିଡ୍ ଟିକା ପରିବହନ କରାଯିବ ବୋଲି ଜଣାପଡିଛି ।

ସକାଳ ପ୍ରାୟ ୧୦ଟା ୪୫ ମିନିଟରେ ଅହମ୍ମଦାବାଦ ବିମାନ ବନ୍ଦରରେ ଏହି ଟିକାକୁ ଗ୍ରହଣ କରିବେ ଗୁଜରାଟ ସରକାର । ପ୍ରାଥମିକ ସୂଚନା ଅନୁସାରେ କୋଭିସିଲଡ୍ ଟିକାକୁ ପ୍ରଥମେ ୬୦ ଟି ସ୍ଥାନକୁ ପ୍ରେରଣ କରାଯିବ । ସେହି ସ୍ଥାନ ଗୁଡିକରୁ ସାରା ଦେଶକୁ ଟିକା ପଠାଯିବ । ଏହି ଟିକା ପରିବହନରେ ପ୍ରାୟ ୩୦୦ ଜିପିଏସ୍ ବ୍ୟବସ୍ଥା ଥିବା କୁଲ୍ ଏକ୍ସ କୋଲଡ ଚେନ୍ ଟ୍ରକ୍ ବ୍ୟବହାର କରାଯିବ । ଆବଶ୍ୟକ ହେଲେ ଅଧିକ ୫ଶହ ଟ୍ରକ ନିୟୋଜନ କରାଯିବ ବୋଲି ସିରମ୍ ଇନଷ୍ଟିଚୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାରୁ ଏହା ଆଗରୁ ସୁରକ୍ଷିତ ଭାବେ କରୋନା ଟିକା ପହଁଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ୍ ।