ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା । ରୋହିତ ଶର୍ମାଙ୍କୁ ମିଳିପାରେ ଓପନିଂ ସ୍ଲଟ୍, ଏପଟେ ରବିବାରରୁ ଟି ୨୦ ସିରିଜ ପାଇଁ ସଜବାଜ ।

253

କନକ ବ୍ୟୁରୋ : ଅକ୍ଟୋବର ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ । ଏହି ସିରିଜ ପାଇଁ ଆଜି ଦଳ ଘୋଷଣା କରିବ ବିସିସିଆଇ । ଇଣ୍ଡିଜ ଗସ୍ତ କରିଥିବା ଟିମରେ କିଛି ପରିବର୍ତନ କରିପାରେ ବୋର୍ଡ । ଖାସ୍ କରି ଓପନିଂରେ ଫେଲ୍ ମାରିଥିବା କେଏଲ୍ ରାହୁଲଙ୍କ ସ୍ଥାନରେ ରୋହିତ ଶର୍ମା କିମ୍ବା ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ମିଳିପାରେ । ରାହୁଲ ଗତ ୭ଟି ମ୍ୟାଚରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିବାଲେ ଫେଲ୍ ମାରିଛନ୍ତି । ତେବେ ଏହି ସ୍ଥାନ ପାଇଁ ଆଗରେ ଅଛନ୍ତି ରୋହିତ ଶର୍ମା ।

ସେହିପରି ଦଳକୁ ଫେରିବେ ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା । ଇଣ୍ଡିଜ ଗସ୍ତରେ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଭଲ ପ୍ରଦର୍ଶନ କରିଥିବାରୁ ଦଳରେ ସ୍ଥାନ ବଜାୟ ରଖିବେ । ତେବେ ୨୦୧୮ରୁ ଘରୋଇ ସିଜିନରେ ଭଲ ପ୍ରଦର୍ଶନ କରିଥିବା ଅଭିମନ୍ୟୁ ଇଶ୍ୱରନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଦଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏହି ସିରିଜରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଅକ୍ଟୋବର ୨ ତାରିଖରୁ ୧୯ ତାରିଖ ମଧ୍ୟରେ ଏହି ତିନୋଟି ମ୍ୟାଚ୍ ଭାରତରେ ଖେଳାଯିବ । ଏହି ଟେଷ୍ଟ ସିରିଜ ଆଗରୁ ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ଆସନ୍ତା ୧୫ ତାରିଖରୁ ଟି ୨୦ ସିରିଜ ଖେଳିବ । ଏହି ଟି ୨୦ ସିରିଜରେ ୩ଟି ମ୍ୟାଚ୍ ଖେଳାଯିବ । ଧର୍ମଶାଳା, ଚଣ୍ଡିଗଡ ଓ ବେଙ୍ଗାଲୁରୁରେ ଏହି ମ୍ୟାଚ୍ ଖେଳାଯିବ ।