କନକ ବ୍ୟୁରୋ : ଏଫଆଇଏଚ ପ୍ରୋ ହକି ଲିଗରେ ଭାରତର ଦମଦାର ବିଜୟ । ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ହରାଇଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଥିଲା । ହେଲେ ଦ୍ୱିତୀୟାଆର୍ଦ୍ଧରେ ଭାରତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲ।। ପ୍ରୋ ହକି ଲିଗରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଦ୍ୱିତୀୟ ବିଜୟ । ଗତ ସପ୍ତାହରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ୪-୩ ଗୋଲରେ ପରାସ୍ତ କରିଥିଲା ।

Advertisment

କଳିଙ୍ଗ ହକି କଂପ୍ଲେକ୍ସରେ ଶୁକ୍ରବାର ସଂଧ୍ୟା ଗୋଲ୍ ରୋମାଞ୍ଚରୁ ଆରମ୍ଭ ହୋଇଥିଲା। ଦ୍ବିତୀୟ ମିନିଟ୍‌ରେ ହିଁ ସାଇମନ୍ ଚାଇଲ୍ଡ ଗୋଲ୍ ଦେଇ ଭାରତକୁ ପଛୁଆ କରି ଦେଇଥିଲେ । ଦ୍ବିତୀୟ ମିନିଟ୍‌ରେ ଭାରତକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ଲଗାତାର ତୃତୀୟ ପେନାଲ୍ଟି କର୍ଣ୍ଣରରୁ ହର୍ମନପ୍ରୀତ୍ ଗୋଲ୍ ଦେଇ ଭାରତକୁ ବରାବର ସ୍ଥିତିକୁ ଆଣିଥିଲେ ମଧ୍ୟ ଏହାକୁ ନ୍ୟୁଜିଲାଣ୍ଡ୍ ଅଧିକ ସମୟ ରଖିନଥିଲା । ଲଗାତାର ଦୁଇ ଗୋଲ୍ ଦେଇ ଭାରତକୁ ପୁଣି ଥରେ ପଛୁଆ କରି ଦେଇଥିଲା ।

ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ପ୍ରତିଆକ୍ରମଣ ଆରମ୍ଭ କରି ଦେଇଥିଲା। ରକ୍ଷଣଭାଗକୁ ବି ସଜାଗ ରଖିଥିଲା । ୧୭ ମିନିଟ୍‌ରେ ଯୁବ ଫରୱାର୍ଡ କାର୍ତ୍ତି ସେଲଭାମ୍‌ ଏକା ଏକା ନ୍ୟୁଜିଲାଣ୍ଡ୍ ଗୋଲି ଡୋମିନିକ୍ ଡିକ୍ସନଙ୍କୁ ପରାସ୍ତ କରିବା ସବୁଠାରୁ ଦର୍ଶନୀୟ ଏବଂ ଆକର୍ଷଣୀୟ ‌ଗୋଲ୍ ଥିଲା । ନିଜ ଅଷ୍ଟମ ସିନିୟର୍ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଚତୁର୍ଥ ଗୋଲ୍‌ ଦେଇ ଭବିଷ୍ୟତ ତାରକା ଭାବେ ଉଭା ହୋଇଛନ୍ତି କାର୍ତ୍ତି । କାର୍ତ୍ତିଙ୍କ ଗୋଲ୍ ପରେ ଭାରତର ଆକ୍ରମଣ ଜାରି ରହିଥିଲା । ଫଳତଃ ୨ ମିନିଟ୍‌ ପରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ୍ ସିଂହ ପୁଣି ଥରେ ଭାରତକୁ ସମତୁଲ ସ୍ଥିତିକୁ ଆଣି ପାରିଥିଲେ ।

ତୃତୀୟ କ୍ବାର୍ଟର ଆରମ୍ଭରୁ ଭାରତ ପ୍ରଥମ ଥର ମ୍ୟାଚ୍‌ରେ ଅଗ୍ରଣୀ ନେଇଥିଲା। ତା’ପୁଣି ଏହି କ୍ବାର୍ଟରର ୩୩ ସେକେଣ୍ଡ୍ ଭିତରେ । ପ୍ରଥମାର୍ଦ୍ଧର ପ୍ରଥମ ମିନିଟ୍‌ର ରିଭେଞ୍ଜ୍ ରିପ୍ଲେ ଭଳି ଥିଲା ଏହି ଗୋଲ୍ । ଡାହାଣ ପାର୍ଶ୍ବରୁ ଦୁଇ ଖେଳାଳିଙ୍କ ନିକଟରୁ ପାଇଥିବା ବଲ୍‌କୁ ଶେଷ ସ୍ପର୍ଶ ଦେଇଥିଲେ ରାଜକୁମାର ପାଲ୍। ଅଭିଷେକଙ୍କ ସୁନ୍ଦର ଡ୍ରିବଲିଂରୁ ମନପ୍ରୀତ୍ ଠିକଣା ସମୟରେ ବଲ୍ ପାସ୍ କରି ପୁଣି ଥରେ ଗୋଲ୍‌ର ପ୍ରମୁଖ ଅଂଶୀଦାର ହୋଇଥିଲେ । ଚତୁର୍ଥ ତଥା ଅନ୍ତିମ କ୍ବାର୍ଟରରେ ଭାରତ ନିଜର ଆକ୍ରମଣାତ୍ମକ ହକି ଜାରି ରଖିଥିଲା । ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌ଙ୍କ ପ୍ରାକ୍ ମ୍ୟାଚ୍‌ ପ୍ରତିଶ୍ରୁତିକୁ ଖେଳାଳିମାନେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ସଠିକ ତାଳମେଳ ଓ ଫିନିସିଂ କରି ଭାରତୀୟ ଖେଳାଳି ପ୍ରଧାନ୍ୟ ବିସ୍ତାର କରିଥିଲେ ।