ଓଡିଶାରେ ମହାମହିମ ଦ୍ରୌପଦୀ ମୁର୍ମୁ : ଆଜି ତପୋବନ ସ୍କୁଲକୁ ଯିବେ, ଛାତ୍ରଛାତ୍ରୀଙ୍କୁ ଭେଟିବେ

96

କନକ ବ୍ୟୁରୋ : ଓଡିଶାରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଆଜି ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଭୁବନେଶ୍ୱର ତପୋବନ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟିବେ । ୧୭ ମିନିଟର ଏହି କାର୍ଯ୍ୟକ୍ରମରେ ସେ ପିଲାମାନଙ୍କ ସହ ଆଲୋଚନା କରିବେ । ଏହାପରେ ୟୁନିଟ-୨ ଗାର୍ଲ ହାଇସ୍କୁଲ ଯିବେ ରାଷ୍ଟ୍ରପତି । ନିଜେ ପାଠ ପଢିଥିବା ଏ ସ୍କୁଲରେ ପୁରୁଣା ଛାତ୍ରଛାତ୍ରୀ ଓ ସାଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ସାମିଲ ହେବେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏ.ଆଇ.ସି.ଟି.ଇ ଦ୍ୱାରା ଓଡିଆ ଭାଷାରେ ପ୍ରସ୍ତୁତ ଇଂଜିନିୟରିଂ ବହି ଲୋକାର୍ପଣ କରିବେ । ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲରେ ‘ଇ-କୁମ୍ଭ’ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ଯାନ୍ତ୍ରିକ ଶବ୍ଦକୋଷ ଲୋକାର୍ପଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଭାରତ ମାଟି ମୋ ପାଇଁ ଖାଣ୍ଟି ସୁନା । ଦେଶର ଯେଉଁ ସ୍ଥାନରେ ଥିଲେ ବି ଓଡ଼ିଶା ମୋ ପାଇଁ ପ୍ରିୟ । ରାଷ୍ଟ୍ରପତିଙ୍କୁ ନାଗରିକଙ୍କ ସମ୍ମାନ ଅବସରରେ ରାଜଭବନରେ ଏଭଳି କହିଛନ୍ତି ମହାମହିମ ଦୌପଦୀ ମୁର୍ମୁ । ସେହିପରି ଉତର ଓ ଦକ୍ଷିଣ ଭାରତ ମଧ୍ୟରେ ଓଡ଼ିଶା ସମ୍ପର୍କର ସେତୁ ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶର ସାଂସ୍କୃତିକ ମହାଶକ୍ତିକୁ ସମୃଦ୍ଧ କରିଛି ଓଡ଼ିଶାର କଳା ଓ ସଂସ୍କୃତି ।

ନାରୀ ନେତୃତ୍ୱ ନେବା କ୍ଷେତ୍ରରେ କେତେ ଆଗୁଆ, ସେ କଥା କହିବାକୁ ଯାଇ, ସ୍ୱାଧିନତା ସଂଗ୍ରାମର ଉହାରଣ ମଧ୍ୟ ରଖିଛନ୍ତି ରାଷ୍ଟ୍ରପତି । ଦେଶର ସ୍ୱାଧିନତା ସଂଗ୍ରାମରେ ଓଡ଼ିଶାର ନେତୃତ୍ୱର ଅବଦାନ ଥିବା କହିଛନ୍ତି ମହାମହିମ । ଶ୍ରୀଜିଉଙ୍କ ଦର୍ଶନ ସାରି ଭୁବନେଶ୍ୱର ରାଜଭବନକୁ ଫେରିବା ପରେ ରାଷ୍ଟ୍ରପତି ସମାଜର ସମସ୍ତ ବର୍ଗର ନାଗରିକଙ୍କୁ ଭେଟିିଥିଲେ ।