ପୁଣି ଚିନ୍ତା ବଢାଇଲାଣି କରୋନା । କରୋନା ଟିକା ରପ୍ତାନୀ ସାମୟିକଭାବେ ସ୍ଥଗିତ ରଖିଲା ଭାରତ ।

326

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ କେନ୍ଦ୍ର ସରକାର ସାମୟିକ ଭାବେ କୋଭିସିଲଡ ଟିକା ରପ୍ତାନିକୁ ସ୍ଥଗିତ ରଖିଛନ୍ତି । ଦେଶରେ କରୋନା ଟିକା ଚାହିଦା ପୂରଣ କରିବା ପରେ ପରବର୍ତ୍ତିକାଳରେ ବିଦେଶକୁ ରପ୍ତାନି କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରିଛନ୍ତି । ଏହାପରେ ଦେଶରେ ଟିକା ଚାହିଦା ଆହୁରି ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଗତ କାଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଭାରତରେ ଯେତିକି ଲୋକଙ୍କୁ ଟିକା ଦିଆଯାଇଛି, ତାଠାରୁ ଅଧିକ ଟିକା ରପ୍ତାନି କରାଯାଇଛି । ଏହାକୁ ନେଇ କେତେକ ମହଲରେ ସରକାରଙ୍କୁ ସମାଲୋଚନା କରାଯାଇଥିଲା ।

ଭାରତରେ ଗତ କିଛି ଦିନ ହେଲା ପୁଣି କରୋନା ସଂକ୍ରମଣ ଚିନ୍ତାଜନକଭାବେ ବୃଦ୍ଧି ପାଇଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୫୩,୪୭୬ଟି ନୂଆ କରୋନା ମାମଲା ଦେଖାଦେଇଛି । ଭାରତରେ ପୁଣି ଗତ ବର୍ଷ ପରି କରୋନା ସଂକ୍ରମଣ ବଢିଚାଲିଥିବାବେଳେ ବିଦେଶକୁ ଟିକା ରପ୍ତାନିକୁ ନେଇ କେତେକ ମହଲରେ ପ୍ରଶ୍ନ ଉଠିଥିଲା । ସୂଚନାଯୋଗ୍ୟ ଯେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଭାରତରେ କୋଭିସିଲଡ ନାମରେ ଉତ୍ପାଦନ କରୁଛି ।