କନକ ବ୍ୟୁରୋ : ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ବିବାଦ ଭିତରେ ଭାରତ କାନାଡାକୁ ଏକ ବଡ ଝଟକା ଦେଇଛି । ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଭାରତରୁ ତୁରନ୍ତ ଫେରାଇନେବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂତ୍ର ସୂଚନା ମୁତାବକ ଭାରତ ଓଟାବାକୁ ନିର୍ଦ୍ଦେଶ ଦେଇଛି କି ଅକ୍ଟୋବର ୧୦ ତାରିଖ ସୁଦ୍ଧା ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଫେରାଇନେଉ ।

Advertisment

ସେପଟେ ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଭାରତ ସରକାର ଏନେଇ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରିନାହାଁନ୍ତି । ଗଣମାଧ୍ୟମର ସୂଚନା ମୁତାବକ ଭାରତରେ କାନାଡାର ୬୨ ଜଣ କୂଟନୈତିକ କର୍ମଚାରୀ ରହିଛନ୍ତି । ଭାରତ କହିଛି କି, ସେମାନଙ୍କ ମଧ୍ୟରୁ ୪୧ ଜଣ କର୍ମଚାରୀଙ୍କୁ କାନାଡା ଫେରାଇନେଉ ।

କହିରଖୁ କି ଖଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡା ସୁରକ୍ଷା ଦେଉଥିବା ଭାରତ ତରଫରୁ ବାରମ୍ବାର ଅଭିଯୋଗ ହେଉଛି । ଏହାରି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କିଛିଦିନ ତଳେ ଅଭିଯୋଗ କରିଥିଲେ କି, କାନାଡାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଥାଇପାରେ ।

ଟ୍ରୁଡୋଙ୍କ ଏଭଳି ବୟାନ ପରେ ଭାରତ ଓ କାନାଡା ମଧ୍ୟରେ ଥିବା ବୈଦେଶିକ ସଂପର୍କରେ ତିକ୍ତତା ଆସିଛି । ଏସବୁ ଭିତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି କାନାଡା ସରକାର ଆତଙ୍କବାଦୀ, ଉଗ୍ରବଦାୀ ଓ ହିଂସାକୁ ପ୍ରୋତ୍ସାହିତ କରୁଥିବାରୁ ଭାରତ ଓ କାନାଡା ମଧ୍ୟରେ ସଂପର୍କ ତୁଟିବାରେ ଲାଗିଛି ।