କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଭାରତ ସହଜ ଓ ବଡ ବିଜୟ ହାସଲ କରିଛି । ଏହା ସହ ବିଶ୍ୱକପର ସେମିଫାଇନାଲରେ ପଂହଚିଛି ଟିମ ଇଣ୍ଡିଆ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୩୦୨ ରନରେ ହରାଇଛି ଭାରତ । ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଛି ।

Advertisment

ଭାରତ ପକ୍ଷରୁ ମହମ୍ମଦ ସାମିଙ୍କୁ ୫ଟି ଓି୍ୱକେଟ ମିଳିଥିବାବେଳେ ସିରାଜ ୩ଟି, ବୁମରା ଓ ଜାଡେଜା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର ଫେଲ ମାରିଥିଲା । କସୁନ ରଜିଥା ୧୪ ଓ ମ୍ୟାଥ୍ୟୁସ ୧୨ ରନ ରନ କରି ଆଉଟ ହୋଇଥିଲେ । ୫ ଜଣ ବ୍ୟାଟସମ୍ୟାନ ଖାତା ଖୋଲିପାରିନଥିଲେ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ବିଶାଳ ସ୍କୋର କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ଭାରତ କରିଥିଲା ୩୫୭ ରନ୍ । ଅଧିନାୟକ ରୋହିତ ଶର୍ମା ପ୍ରଥମ ବଲରେ ଚୌକା ମାରିଥିଲେ । କିନ୍ତୁ ଦ୍ୱିତୀୟ ବଲରେ କ୍ଲିନ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ । ଶୁବମନ ଗିଲ୍ ଓ ବିରାଟ କୋହଲି ଦ୍ୱିତୀୟ ୱିକେଟ୍ ପାଇଁ ୧୮୯ ରନ୍ ଯୋଡ଼ି ଭାରତକୁ ମଜଭୁତ ସ୍ଥିତିରେ ପହଂଚାଇଥିଲେ । ଉଭୟ ଶତକରୁ ବଂଚିତ ହୋଇଥିଲେ । ଗିଲ୍ ୯୨ ରନ୍ ଏବଂ କୋହଲି ୮୮ ରନ୍ କରି ଆଉଟ୍ ହୋଇଥିଲେ । ଖରାପ ଫର୍ମରେ ଥିବା ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୬ ବଲରେ ୮୨ ରନର ଇନିଂସ୍ ଖେଳିଥିଲେ । ରବୀନ୍ଦ୍ର ଜାଡେଜା ୩୫ ରନ୍, ରାହୁଲ ୨୧ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶଙ୍କା ୫ଟି ୱିକେଟ୍ ନେଇଥିଲେ । ଚଳିତ ଟୁର୍ଣ୍ଣାମେଂଟରେ ଭାରତ ଲଗାତର ୭ଟି ମ୍ୟାଚ୍ ଜିତି ଅପରାଜେୟ ରହିଛି ଭାରତ । ମହମ୍ମଦ ସାମି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।