ଭାରତ ଫେରିଲେ ବିଶ୍ୱବିଜେତା ଟିମ୍‌ ଇଣ୍ଡିଆ ଖେଳାଳି। ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ। ଦିନ ୧୧ଟାରେ ଚାମ୍ପିଅନ୍ସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।

112

କନକ ବ୍ୟୁରୋ:  ବାର୍ବାଡୋସରୁ ଭାରତ ଭାରତ ଫେରିଛନ୍ତି ବିଶ୍ୱବିଜେତା ଟିମ୍‌ ଇଣ୍ଡିଆ । ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଛି । ରୋହିତ ବାହିନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଛନ୍ତି ହଜାର ହଜାର ପ୍ରଶଂସକ । ୯ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାତ୍ରା କରିବେ ରୋହିତ ବାହିନୀ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନେ ମୁମ୍ବାଇ ଅଭିମୁଖେ ଉଡାଣ ଭରିବେ । ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳୀ ଖୋଲା ବସରେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବିଶ୍ୱକପ ଟ୍ରଫି ଦେବେ ଅଧିନାୟକ ରୋହିତ ଶର୍ମା ।

ବାତ୍ୟାରେ ଫଶିଥିବା ଟିମ୍ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ବାଡୋସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା ବିସିସିଆଇ । ଏହି ବିମାନରେ ଖେଳାଳୀଙ୍କ ସହ ସହଯୋଗୀ ଷ୍ଟାଫ୍, ଖେଳାଳୀଙ୍କ ପରିବାର ସଦସ୍ୟ, ବିସିସିଆଇର କିଛି ସଦସ୍ୟ, ଭାରତୀୟ ଗଣମାଧ୍ୟମର କିଛି ସଦସ୍ୟ ଭାରତ ଫେରିଛନ୍ତି । ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ଏହାପୂର୍ବରୁ ୨୦୦୭ରେ ଧୋନୀଙ୍କ ନେତୃତ୍ୱରେ ଟି-୨୦ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ ।