କନକ ବ୍ୟୁରୋ: ଶ୍ରୀଲଙ୍କ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଆଜି ଘୋଷଣା ହେଇପାରେ ଭାରତୀୟ ଦଳ । ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଦୁଇଟି ପୃଥକ ପୃଥକ ଭାରତୀୟ ଦଳ ଘୋଷଣା ହେଇପାରେ । ତେବେ ନିକଟରେ ଜିମ୍ବାଓ୍ୱେ ଗସ୍ତରେ ଥିବା ଯୁବ ଭାରତୀୟ ଦଳରୁ କିଛି ଖେଳାଳି ଏହି ସିରିଜ୍ ପାଇଁ ଦଳରେ ସ୍ଥାନ ପାଇପାରନ୍ତି । ଅନ୍ୟପଟେ କୋଚ୍ ହିସାବରେ ଗମ୍ଭୀରଙ୍କ ଏହା ପ୍ରଥମ ସିରିଜ୍ ହେବାକୁ ଯାଉଥିବାରୁ, କେଉଁ ଦଳ ସହ ସେ ବିଦେଶ ଯାତ୍ରା କରୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କର ନଜର ।

କୁହାଯାଉଛି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଦୁଇଟି ପୃଥକ ପୃଥକ ଦଳ ଘୋଷଣା ହେଇପାରେ । ଟି-୨୦ରେ ସମ୍ଭବତଃ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନିକିଆରେ କେଏଲ୍ ରାହୁଲଙ୍କୁ ଅଧିନାୟକ ଭାର ଦିଆଯାଇପାରେ । ଏହାବାଦ୍ , ଜିମ୍ବାଓ୍ୱେ ବିପକ୍ଷ ସିରିଜରେ ସ୍ଥାନ ପାଇଥିବା କିଛି ଖେଳାଳିଙ୍କୁ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ପଠାଇପାରେ ବିସିସିଆଇ ସିଲେକ୍ସନ କମିଟି ।

ମିଳିଥିବା ସୂଚନା ମୁତାବକ, ଜିମ୍ବାଓ୍ୱେ ଗସ୍ତରେ ଯାଇଥିବା ରିୟାନ ପରାଗ ଏବଂ ସାଇ ସୁଦର୍ଶନଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସୁଯୋଗ ନମିଳିପାରେ । ଏମାନଙ୍କ ବଦଳରେ ଅନ୍ୟ ସିନିୟର ଖେଳାଳି ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଚର୍ଚ୍ଚା ଅନୁସାରେ, ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶୁଭମନ୍ ଗିଲ୍ ଏବଂ ଯଶସ୍ୱୀ ଜୟସଓ୍ୱାଲ ଓପନର ଭାବେ ଦଳରେ ସ୍ଥାନ ପାଇପାରନ୍ତି । ଏହାସହ ଅଭିଷେକ ଶର୍ମା ୩ୟ ଓପନର ଭାବେ ଦଳରେ ରହିବେ । ଏହାସହ ସୂର୍ୟ୍ୟକୁମାର ଯାଦବଙ୍କୁ ମଧ୍ୟ ଦିନିକିଆ ଦଳରେ ଏଣ୍ଟ୍ରି ମିଳିପାରେ । ତା ସହ ଋତୁରାଜ ଗାଏକ୍ୱାଡ ମଧ୍ୟ ଦଳରେ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।