ପଦାରେ ପଡିଲା ପାକିସ୍ତାନର ମିଛ, ଭାରତ ଦେଲା ଜବାବ । କହିଲା, ଆତଙ୍କବାଦକୁ କୂଟନୈତିକ ଅସ୍ତ୍ର କରିଛି ପାକ୍, କାଶ୍ମୀର ମାମଲାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ।

415

କନକ ବ୍ୟୁରୋ : ଜାତିସଂଘ ମାନବାଧିକାର ପରିଷଦ ଅଧିବେଶନରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ପାକିସ୍ତାନ ତାର ଚିରାଚରିତ ଢଙ୍ଗରେ କଶ୍ମୀର ପ୍ରସଙ୍ଗ ଉଠାଇ ମିଥ୍ୟା ଦଲିଲ ଦେଇଛି । ପାକିସ୍ତାନର ଏଭଳି ଉଦ୍ୟମର କଡ଼ା ଜବାବ ଦେଇଛି ଭାରତ । ଭାରତ କହିଛି ଯେ ପାକିସ୍ତାନ ହେଉଛି ସବୁ ଅଶାନ୍ତିର ମୂଳ କାରଣ । ଆତଙ୍କବାଦକୁ କୂଟନୈତିକ ଅସ୍ତ୍ର ରୂପେ ବ୍ୟବହାର କରି ଭାରତରେ ସବୁ ପ୍ରକାର ଅଶାନ୍ତି ସୃଷ୍ଟି କରିବା ଲାଗି ପାକିସ୍ତାନ ଉଦ୍ୟମ ଚଳାଇଛି । ଆତଙ୍କବାଦୀମାନଙ୍କୁ ଆର୍ଥିକ ସହାୟତା ସମେତ ସବୁ ପ୍ରକାର ସହାୟତା ଦେଉଛି । ଏହା ହେଉଛି ମାନବାଧିକାରର ସବୁଠାରୁ ବଡ଼ ଉଲ୍ଲଂଘନ । ଏଥିରୁ ପାକିସ୍ତାନ ବିରତ ରହୁ ।

ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ର ଏହି ଅଧିବେଶନରେ ଭାରତର ପ୍ରତିନିଧି ବିଜୟ ଠାକୁର ସିଂହ କହିଲେ ଯେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । କଶ୍ମୀରର ସୁରକ୍ଷା ସ୍ଥିତି କିଭଳି ରହିବ ଏବଂ ଏଥିପାଇଁ କି ପଦକ୍ଷେପ ନିଆଯିବ ତାହା ଭାରତର ନିଜସ୍ୱ ମାମଲା । ଏଥିରେ କୌଣସି ରାଷ୍ଟ୍ର ହସ୍ତକ୍ଷେପ କରିପାରିବେ ନାହିଁ । ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ବିରୋଧରେ ୧୧୫ ପୃଷ୍ଠାର ‌ଯେଉଁ ମିଥ୍ୟା ଦଲିଲ୍‌ ଉପସ୍ଥାପନ କରିଛି ତାହାର ଜବାବରେ ଭାରତର ପ୍ରତିନିଧି କହିଥିଲେ ଯେ କଶ୍ମୀରରେ ସ୍ଥାୟୀ ଶାନ୍ତି ପାଇଁ ସରକାର ଉଦ୍ୟମ କରୁଛନ୍ତି ଏବଂ ସ୍ଥିତି ସ୍ୱାଭାବିକ ହେଉଥିବାରୁ ପର୍ଯ୍ୟାୟକ୍ରମେ କଟକଣା ହଟାଯାଉଛି । କଶ୍ମୀରକୁ ନେଇ ଭାରତର ସମସ୍ତ ନିଷ୍ପତ୍ତି ଗଣତାନ୍ତ୍ରିକ ପ୍ରକ୍ରିୟାରେ ହେଉଛି ଏବଂ ଦେଶର ସମ୍ବିଧାନ ଏଥିପାଇଁ ସରକାରଙ୍କୁ କ୍ଷମତା ଦେଇଛି । ପାକିସ୍ତାନ କଶ୍ମୀରରେ ମାନବାଧିକାର ନେଇ ଯେଉଁ ସବୁ ମିଥ୍ୟା ଦଲିଲ୍‌ ଉପସ୍ଥାପନ କରିଛି ତାହା ତା’ର ରାଷ୍ଟ୍ରର ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପକୁ ପ୍ରମାଣିତ କରୁଛି । ପାକିସ୍ତାନ ଅଧିକୃତ କଶ୍ମୀରରେ ଇସଲାମାବାଦ ସରକ‌ାର ଦମନଲୀଳା ଚଳାଇଥିବା ସେ କହିଥିଲେ ।

ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି କହିଥିଲେ, ଯେ କଶ୍ମୀର ମାମଲା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହେଁ ଏବଂ ଏଥିରେ ଜାତିସଂଘ ହସ୍ତକ୍ଷେପ କରିବା ଜରୁରୀ । କଶ୍ମୀର ବାସିନ୍ଦାଙ୍କ ଉପରେ ଜୁଲମ ଚାଲିଛି ଏବଂ ସେଠାରେ ଶ୍ମଶାନର ନିରବତା ଛାଇ ଯାଇଛି । ସେଠାରେ ନରସଂହାର ଚାଲିଛି ବୋଲି ମଧ୍ୟ ସେ କହିଥିଲେ । ଜମ୍ମୁ କଶ୍ମୀରରେ ଲୋକଙ୍କୁ ମୌଳିକ ଅଧିକାରରୁ ମଧ୍ୟ ଏବେ ଭାରତ ବଞ୍ଚିତ କରିଛି ବୋଲି ସେ କହିଥିଲେ । କଶ୍ମୀରରେ ଭାରତୀୟ ସେନା ପେଲେଟ ଗନ୍‌ ବ୍ୟବହାର ବନ୍ଦ କରିବା ଏବଂ ଲୋକଙ୍କୁ ମୁକ୍ତି ବିଚରଣ ପାଇଁ ସୁଯୋଗ ଦେବାକୁ ସେ କହିଥିଲେ । ଏହା ବ୍ୟତୀତ ମାନବାଧିକାର ସଂଗଠନ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ କଶ୍ମୀର ଗସ୍ତ କରିବାକୁ ଭାରତ ଅନୁମତି ଦେଉ ବୋଲି ସେ ଦାବି କରିଥିଲେ ।