ଅଗଷ୍ଟ ୮ ରେ ଭାରତୀୟ ସେନାର ୩ ପୂର୍ବତନ ସେନାଧ୍ୟକ୍ଷ ତାଇୱାନ ଗସ୍ତ କରିଥିଲେ । ଗତ ଗୁରୁବାର ଦିନ ଚୀନ୍ ଏହାର  ବିରୋଧ ପ୍ରକାଶ କରିଛି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ  ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ତାଇୱାନ ସହ କୌଣସି ପ୍ରକାର ସରକାରୀ ଆଲୋଚନାକୁ ଆମେ ବିରୋଧ କରୁଛୁ । ୱେନବିନ କହିଛନ୍ତି ତାଇୱାନ ବିଷୟରେ ଆମର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଆସିଛି। ଆମେ ଆଶା କରୁଛୁ ଯେ ଭାରତ ମଧ୍ୟ ଚୀନ୍ ର ଏହି ନୀତିକୁ ସମ୍ମାନ ଦେବ  ଏବଂ ତାଇୱାନ ସହିତ କୌଣସି  ସାମରିକ ଏବଂ ସୁରକ୍ଷା ସହଯୋଗ କରିବନାହିଁ ।

‘ଦି ଇକୋନୋମିକ୍ ଟାଇମ୍ସ’ ରିପୋର୍ଟ ଅନୁଯାୟୀ ପୂର୍ବତନ ଆଡମିରାଲ କରମବୀର ସିଂ, ଜେନେରାଲ ଏମ ଏମ ନରଭାନେ ଏବଂ ପୂର୍ବତନ ଏୟାର ଷ୍ଟାଫ୍ ଆର.କେ.ଏସ୍ ଭଦୌରିଆ ତାଇୱାନ ଗସ୍ତ କରିଥିଲେ । ସେମାନେ  ତାଇୱାନରେ ଆୟୋଜିତ ଇଣ୍ଡୋ-ପାସିଫିକ୍ ସୁରକ୍ଷାବାର୍ତ୍ତାରେ ଭାଗ ନେଇଥିଲେ ।

ତାଇୱାନକୁ ନେଇ ଭାରତର ଆଭିମୁଖ୍ୟ କ’ଣ ..

ବରିଷ୍ଠ ସାମ୍ବାଦିକ ପାଲକି ଶର୍ମାଙ୍କ ଅନୁଯାୟୀ ଡିସେମ୍ବର ୧୯୪୯ ରେ ଚୀନ୍ କୁ ସ୍ୱୀକୃତି ଦେଇଥିବା ପ୍ରଥମ ଏସୀୟ ଦେଶ ମଧ୍ୟରୁ ଭାରତ ଅନ୍ୟତମ । ଏହା ପରେ ୪୫ ବର୍ଷ ଧରି ଭାରତ ଏବଂ ତାଇୱାନ ମଧ୍ୟରେ କୌଣସି ଆନୁଷ୍ଠାନିକ ସମ୍ପର୍କ ନଥିଲା । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ କୌଣସି ସୁଧାର ଆସିନଥିଲା । ଭାରତ ଉପରେ  ତାଇୱାନର ଆଭିମୁଖ୍ୟ ମଧ୍ୟ ବହୁତ  ସକାରାତ୍ମକ ନଥିଲା ।ତାଇୱାନ ଏହାର ‘ୱାନ୍-ଚାଇନା’ ନୀତିରେ ଅଟଳ ରହିଥିଲା ।  ତାଇପେଇକୁ ନିଜର  କ୍ଷମତା କେନ୍ଦ୍ର ରୂପେ ପରିଗଣିତ କରିବାକୁ ଚିନ୍ତା କରୁଥିଲା ।  ତିବ୍ଦତ ଏବଂ ମ୍ୟାକମାହନ୍ ଲାଇନ ଉପରେ ଏହାର ନୀତି ଚୀନ୍ ସହିତ ସମାନ ଥିଲା। ଆମେରିକା ସହିତ ତାଙ୍କର ସମ୍ପର୍କ ମଧୁର  ଥିଲା କିନ୍ତୁ ଭାରତ ପ୍ରତି ତାଇୱାନର ସେତେ ଅଧିକ ଆଗ୍ରହ ନଥିଲା ।

୧୯୯୦ ଦଶକରେ ଭାରତ ତାର ବୈଦେଶିକ ନୀତିରେ  ସାମାନ୍ୟ ପରିବର୍ତ୍ତନ କରିଥିଲା । ଏକ ନୂଆ ‘ଲୁକ୍-ଇଷ୍ଟ’ ନୀତି ଗ୍ରହଣ କରିଥିଲା ।  ଯେଉଁ କାରଣରୁ ଏହା ତାଇୱାନ ସହିତ ସମ୍ପର୍କ ବୃଦ୍ଧି କରିବାପାଇଁ ଚେଷ୍ଟା କରିଥିଲା  ​​ଏବଂ ତାଇୱାନ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ଦେଇଥିଲା । ୧୯୯୫ ରେ ଅନଧିକୃତ ଦୂତାବାସ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ଏକବିଂଶ ଶତାବ୍ଦୀର ଆରମ୍ଭରେ  ଏହାକୁ ଭାରତ-ଚୀନ୍ ସମ୍ପର୍କର ସର୍ବୋତ୍ତମ ସମୟ ବୋଲି କୁହାଯାଉଥିଲା । ବାଜପେୟୀଙ୍କ ଚୀନ୍ ଗସ୍ତ ପରେ ଭାରତର ପ୍ରାଥମିକତା ପୁଣି ଥରେ ତାଇୱାନଠାରୁ ଦୂରେଇ ଯାଇ ଚୀନ୍ କେନ୍ଦ୍ରିକ ହୋଇଯାଇଥିଲା ।  ୨୦୦୮ ପରେ ତାଇୱାନର ମନ୍ତ୍ରୀମାନେ ଭାରତ ଗସ୍ତରେ ଆସିବା ପରେ ଏଥିରେ ସୁଧାର ଆଣିବାକୁ ଅଳ୍ପ କିଛି ଉଦ୍ୟମ କରାଯାଇଥିଲା  କିନ୍ତୁ ଏହା କେବଳ  ଭାରତକୁ ଜାଣିବାରେ ସୀମିତ ରହିଯାଇଥିଲା । ଭାରତ-ତାଇୱାନ ସପର୍କରେ ଏକ ବଡ଼ ପରିବର୍ତ୍ତନ ହେଇଥିଲା ୨୦୧୪ ରେ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହକୁ ତାଇୱାନର ପ୍ରତିନିଧୀ ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ।

ତାଇୱାନକୁ ନେଇ ମୋଦୀଙ୍କର ଧାରଣ ପୂର୍ବରୁ ସକାରାତ୍ମକ ରହିଆସିଛି ।  ଅତୀତରେ ମଧ୍ୟ ସେ ତାଇୱାନ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ୧୯୯୯ ରେ ବିଜେପି ସାଧାରଣ ସମ୍ପାଦକ ଥିବା ସମୟରେ ମଧ୍ୟ ସେ ତାଇୱାନ ଗସ୍ତ କରିଥିଲେ । ୨୦୧୧ ରେ  ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ନେତୃତ୍ବରେ ଏକ ବୃହତ ପ୍ରତିନିଧୀ ମଣ୍ଡଳ ତାଇୱାନ ଗସ୍ତ କରିଥିଲା । ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ସେ ତାଇୱାନ ସହ ସମ୍ପର୍କ ବଜାୟ ରଖିଛନ୍ତି ।  ଯଦିଓ  ଭାରତ ତାଇୱାନକୁ ଏକ ପୃଥକ ଦେଶ ଭାବରେ ସ୍ୱୀକୃତି ଦେଇ ନାହିଁ ।

ଚୀନ୍ ଏବଂ ତାଇୱାନ ମଧ୍ୟରେ ବିବାଦ କାହିଁକି ?

ଚୀନ୍ ତାଇୱାନକୁ ନିଜର ଅଂଶ ଭାବରେ ବିବେଚନା କରେ। ଯେତେବେଳେ କି ତାଇୱାନ ନିଜକୁ ଏକ ସ୍ୱାଧୀନ ଦେଶ ଭାବେ ଘୋଷଣ କରିଛି । ତାଇୱାନକୁ କବଜାକରି ଚୀନ୍ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ନିଜର ପ୍ରାଧାନ୍ୟ ଦେଖାଇବାକୁ ଚାହୁଁଛି । ଯାହା  ଗୁଆମ ଏବଂ ହାୱାଇ ପରି ଆମେରିକୀୟ ସାମରିକ ବେସ ପାଇଁ ବିପଦ ସୃଷ୍ଟି କରିବ ।