କନକ ବ୍ୟୁରୋ: କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲା ଭାରତ । ଦୁଇ ଦେଶ ଭିତରେ ଲାଗି ରହିଥିବା ତିକ୍ତତା ଭିତରେ ଭାରତ ତରଫରୁ ଏପରି ବଡ ପଦକ୍ଷେପ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଭିସା ସେବାକୁ ରଦ୍ଦ କରଦିଆଯାଇଛି । ଅର୍ଥାତ କାନାଡାରୁ ଭାରତକୁ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଧିଷ୍ଟ କାଳ ପାଇଁ ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ୍ ଜାରି କରି ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ, ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ପରିଚାଳନା ଗତ କାରଣରୁ ସେପ୍ଟେମ୍ବର ୨୧ ତାରିଖଠାରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ଭିସା ସେବାକୁ ରଦ୍ଦ କରିଦିଆଯାଉଛି ।
Important notice from Indian Mission | "Due to operational reasons, with effect from 21 September 2023, Indian visa services have been suspended till further notice. Please keep checking BLS website for further updates," India Visa Application Center Canada says. pic.twitter.com/hQz296ewKC
— ANI (@ANI) September 21, 2023
ସୂଚନାଯୋଗ୍ୟ ଯେ, ଦିନ ଯେତିକି ଗଡୁଛି ଭାରତ-କାନାଡା ମଧ୍ୟରେ କଳି ସେତିକି ବଢୁଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ବିବାଦର ନିଆଁରେ ଘିଅ ଢାଳିଛି କାନାଡ଼ାର ଆଭିମୁଖ୍ୟ । ଭାରତ ଖଲିସ୍ତାନୀ ଆତଙ୍କୀଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିଥିବାବେଳେ ଏହାକୁ ଅଣଦେଖା କରିଛି କାନାଡ଼ା । ସେପଟେ ଖଲିସ୍ତାନୀଙ୍କ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ନେଇ ସୂଚନା ମିଳିଛି । ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ଜୁନ ୧୮ରେ ତାରିଖରେ ହତ୍ୟାର ଶିକାର ହେବା ପରେ ଭାରତ ଓ କାନାଡା ଭିତରେ ତିକ୍ତତା ନିଆଁ ମାଡିଚାଲିଛି । ଖଲିସ୍ତାନୀ ଆତଙ୍କୀର ହତ୍ୟା ପାଇଁ କାନାଡ଼ା ଭାରତକୁ ଦାୟୀ କରୁଛି ।
ଅନ୍ୟପଟେ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର । ଅଧିକରୁ ଅଧିକ ସତର୍କତା ଆପଣାଇବାକୁ କୁହାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ କାନାଡାରେ ରହୁଛନ୍ତି ବା ସେଠାକୁ ଯାତ୍ରା କରୁଛନ୍ତି ସେମାନଙ୍କୁ ଅଧିକ ସତର୍କ ରହିବା ଜରୁରୀ । ଭାରତ ବିରୋଧରେ କାନାଡାରେ ଅପରାଧିକ ଗତିବିଧି, ହିଂସା ,ଘୃଣା ବୃଦ୍ଧି ପାଉଛି । ଏଥିସହ ସେଠାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଜାରି କରାଯାଇଛି । ସମସ୍ୟା ହେଲେ କାନାଡାରେ ଥିବା ଭାରତୀୟ ଦୂତାବାସକୁ ଜାରି ଆପରେ ଜଣାଇବାକୁ କୁହାଯାଇଛି ।