କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ପଦକ୍ଷେପ: ଭୂଖଣ୍ଡର ସୀମାରେ ଥିବା ପ୍ରବେଶ ପଥଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ

ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାର ରାସ୍ତା ହେଲା ସିଲ୍: ଆଜି ମଧ୍ୟରାତ୍ରରୁ ପାକ୍ ସୀମା ହେବ ବନ୍ଦ

434

କନକ ବ୍ୟୁରୋ: କରୋନାକୁ ନେଇ ଦେଶରେ ଚିନ୍ତା ବଢିଛି । ଏନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ସରକାର ପଦକ୍ଷେପମାନ ନେଉଛନ୍ତି । ଏହି କ୍ରମରେ ଭୂଖଣ୍ଡକୁ ସ୍ପର୍ଶକରୁଥିବା ସୀମାର ପଥଗୁଡିକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଭାରତ ସୀମାକୁ ଲାଗିଥିବା ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାରକୁ ସଂଯୋଗ କରୁଥିବା ବାଟକୁ ଆଜିଠାରୁ ବନ୍ଦ କରାଯାଇଛି । ଫଳରେ ଏହି ରାସ୍ତା ଦେଇ କାହାରିକୁ ଭାରତକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ।

ସେହିପରି ପାକିସ୍ତାନ ସହ ସଂଯୁକ୍ତ ଥିବା ରାସ୍ତାକୁ ଆଜି ମଧ୍ୟରାତ୍ରିରୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବାରୁ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ବିଶ୍ୱର ପଂଚମ ଦେଶ ଭାବେ କରୋନା ଭୂତାଣୁକୁ ଦୂରେଇ ରଖିବା ପାଇଁ କଠୋର ପଦକ୍ଷେପ ନେଇଛି ଭାରତ । ଏହି ଭୟାବହ ଭୂତାଣୁର ସଂକ୍ରମଣରେ ଭାରତ ଏବେ ଷ୍ଟେଜ୍-ଟୁରେ ରହିଛି । ଅର୍ଥାତ ଯେତେଜଣ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନେ ପ୍ରଭାବିତ ଦେଶରୁ ଆସିଛନ୍ତି କିମ୍ବା ବାହାର ଦେଶରୁ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମଣକୁ ତୃତୀୟ ଷ୍ଟେଜରେ ପହଂଚିବା ପାଇଁ ପ୍ରାୟ ୩୦ଦିନ ସମୟ ଲାଗିବ । ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଲେ କରୋନାକୁ ମୁକାବିଲା କରିହେବ ।