ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା: ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ; ଶୁକ୍ରବାର ଜାମ୍ମୁକାଶ୍ମୀରର ୪ଟି ସ୍ଥାନରେ ପାକ୍ କରିଥିଲା ଗୁଳିମାଡ

ଭାରତ ଦେଇଥିଲା କଡା ଜବାବ

126

କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ନିକଟ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲଂଘନ ମାମଲା । ନୂଆଦିଲ୍ଲୀରେ ଥିବା ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସମନ କରିଛି ଭାରତର ବୈଦେଶିକ ମନ୍ତ୍ରାଳୟ । ନଭେମ୍ୱର ୧୩ ତାରିଖରେ ପାକିସ୍ତାନ ପଟୁ ଜାମ୍ମୁକାଶ୍ମୀରର ୪ଟି ସ୍ଥାନରେ ଅସ୍ତ୍ରବିରତି ଉଲଂଘନ କରାଯିବା ସହିତ ଆଖି ବୁଜା ଗୁଳିଗୋଳା ମାଡ କରାଯାଇଥିଲା । ଏହାକୁ ନେଇ ଗତ ଶୁକ୍ରବାର ଦୁଇ ଦେଶର ସେନା ମଧ୍ୟରେ ଗୁଳିଗୋଳା ବିନିମୟ ମଧ୍ୟ ହୋଇଥିଲା । ଉଭୟ ପଟୁ ଏହି ଘଟଣାରେ ଜୀବନହାନି ଘଟିଛି । ସୀମାନ୍ତ ଅଂଚଳରେ ଥିବା ନୀରିହ ଜନତାଙ୍କୁ ପାକିସ୍ତାନ ଯେଭଳି ଅମାନୁଷିକ ଭାବେ ଅସ୍ତ୍ରବିରତି ଉଲଂଘନ କରି ହତ୍ୟା କରୁଛି , ଏହି ଘଟଣାକୁ ଭାରତ କଡା ଭାଷାରେ ନିନ୍ଦା କରିିଛି ।

ସେପଟେ ଦୀପାବଳି ପୂର୍ବରୁ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ତାନ ପାଇଁ ମହଙ୍ଗା ପଡିଛି । ସୀମାରେ ପାକ୍ ପୋଷ୍ଟକୁ ଧ୍ୱସ୍ତ କରି ଏହାର କଡା ଜବାବ ଦେଇଥିଲା ଭାରତ । ଏହି ଘଟଣା ପରେ ପରେ ଏବେ କ୍ଷୟକ୍ଷତି ଲୁଚାଇବାକୁ ଉଦ୍ୟମ କରୁଛି ପାକିସ୍ତାନ । ଗତ କିଛି ମାସ ହେଲା, ଜନତା, ବିରୋଧୀ ଦଳଙ୍କ ଆକ୍ରୋଶର ଶିକାର ହେଉଥିବା ଇମ୍ରାନ ସରକାର ପାଇଁ ଏହା ସୃଷ୍ଟି କରିଛି ଅଡୁଆ ସ୍ଥିତି । ଓଲଟା ଭାରତ ଉପରେ ଦୋଷ ଲଦି , ନଜର ହଟେଇବାକୁ ଉଦ୍ୟମ କରୁଛି ପାକିସ୍ତାନ ।