ଦୀପାବଳି ପୂର୍ବରୁ ସୀମାରେ ବଡ ଧମାକା । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ ଜବାବ । ରକେଟ ମାଡରେ ଧୂଳିସାତ ହେଲା ପାକ ସେନାର ବଙ୍କର, ୬ରୁ ୭ ସେନା ନିହତ ସୂଚନା

225

କନକ ବ୍ୟୁରୋ : ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନକୁ ମହଙ୍ଗା ପଡିଛି । ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ପାକିସ୍ତାନ ସେନାର ବଙ୍କର, ପୋଷ୍ଟ ଓ ତୈଲ ଟାଙ୍କିକୁ ବିସ୍ଫୋରଣ କରି ଭାରତୀୟ ଯବାନ ଉଡାଇ ଦେଇଛନ୍ତି । ଏଥିରେ ପାକିସ୍ତାନର ୬ରୁ ୭ ଜଣ ନିହତ ହୋଇଥିବା ବେଳେ ୭ରୁ ଅଧିକ ପାକ ରେଞ୍ଜର୍ସ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତକଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଏପଟେ ପାକ ସେନାର ଗୁଳି ମୋର୍ଟାର ମାଡରେ ୫ ଯବାନ ସହିଦ ଓ ୪ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣାରେ ପାକିସ୍ତାନ ନିଜ ସେନାର କ୍ଷୟକ୍ଷତିକୁ ନେଇ ମୁହଁ ଖୋଲି ନାହିଁ । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଯବାନଙ୍କ ବାବଦରେ ଗୋଟିଏ ଶବ୍ଦ ବି ଉଚ୍ଚାରଣ କରି ନାହିଁ ପାକିସ୍ତାନ । ହେଲେ ଏହାର କାରଣ କାହାକୁ ଅଛପା ନୁହେଁ । ପାକିସ୍ତାନରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେଉଛି । ଏଣୁ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କୁ ସୁରକ୍ଷା ଯୋଗାଇବାକୁ ଅସ୍ତ୍ରବିରତି ଉଲ୍ଲଂଘନ ପାକ ସେନାର ରଣନୀତିର ଅଂଶ ବିଶେଷ ବୋଲି ଚର୍ଚ୍ଚା ହେଉଛି । ଜନମତ ପ୍ରଭାବିତ ହେବା ଆସଙ୍କାରେ ନିଜ ଯବାନଙ୍କ ମୃତାହତ ଖବରକୁ ଲୋକଲୋଚନକୁ ଆଣିବାକୁ ଦେଉ ନାହାନ୍ତି ଇମ୍ରାନ ସରକାର ।

ପାକ ସେନା ଡିଜି ଆଏସପିଆର ମେଜର ଜେନେରାଲ ବାବର ଇଫତିକାର ଟୁଇଟ କରି ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିବା ଦର୍ଶାଇ ଭାରତ ଉପରେ ଦୋଷ ଲଦିଛନ୍ତି । ସେହିପରି କାଶ୍ମୀର ପାର୍ଲିଆମେଂଟାରୀ କମିଟିର ଅଧ୍ୟକ୍ଷ ସେହରିୟାର ଆଫ୍ରିଦି ଭାରତକୁ ଦୋଷ ଦେଇ ଟୁଇଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ପାକିସ୍ତାନ ପଂଜାବର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଓ ପିଓକେ ପ୍ରେସିଡେଂଟ ମାସୁଦ ଖାନ ଟୁଇଟ କରି ଭାରତକୁ ଦୋଷ ଦେଇଛନ୍ତି ।

ଲଦାଖ ସୀମାରେ ଭାରତ–ଚୀନ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଚଳିତ ବର୍ଷ ପାକିସ୍ତାନ ୪ ହଜାର ୫୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଯାହା ଗତ ୧୭ ବର୍ଷର ରେକର୍ଡକୁ ପଛରେ ପକାଇ ଦେଇଛି ।