କନକ ବ୍ୟୁରୋ: ସ୍ୱଦେଶରେ ବିକଶିତ ହେଲିକପ୍ଟରରୁ ଲଞ୍ଚ କରାଯାଇଥିବା ଟ୍ୟାଙ୍କ ବିଧ୍ୱଂସ୍ତକାରୀ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) , ଭାରତୀୟ ସେନା, ଓ ଭାରତୀୟ ବାୟୁ ସେନାର ବୈଜ୍ଞାନିକଙ୍କ ଟିମ୍ ଦ୍ୱାରା ଏହି ପରୀକ୍ଷଣ ୟୁଜର ଭ୍ୟାଲିଡେସନ୍ ଟ୍ରାଏଲର ଅଂଶ ଭାବରେ ଆୟୋଜିତ ହୋଇଥିଲା ।
ଏହି ପରୀକ୍ଷଣ ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର(ଏଏଲଏଚ୍)ରୁ କରାଯାଇଥିବା ଏବଂ କ୍ଷେପଣାସ୍ତ୍ରକୁ ସିମୁଲେଟେଡ୍ ଟ୍ୟାଙ୍କ ଟାରଗେଟରେ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଥିଲା । କ୍ଷେପଣାସ୍ତ୍ରକୁ ଏକ ଇମେଜିଙ୍ଗ ଇନଫ୍ରାରେଡ୍(ଆଇଆଇଆର) ସିକର ଦ୍ୱାରା ନିର୍ଦ୍ଦେଶିତ କରାଯାଇଥାଏ ଯାହା ଲଞ୍ଚ ପୂର୍ବରୁ ଲକ୍ ଅନ୍ ମୋଡରେ କାର୍ଯ୍ୟ କରିଥାଏ । ଏହା ବିଶ୍ୱର ଏକ ସବୁଠାରୁ ଆଧୁନିକ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ମଧ୍ୟରୁ ଗୋଟିଏ ।
ଏହି ପରିକ୍ଷଣ ସେନାର ବରିଷ୍ଠ କମାଣ୍ଡର ଏବଂ ଡିଆରଡିଓର ବରିଷ୍ଠ ବୈଜ୍ଞାନିକଙ୍କ ଉପସ୍ଥିତିରେ କରାଯାଇଥିଲା ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ଭାରତୀୟ ସେନାଙ୍କୁ ସେମାନଙ୍କର ମିଳିତ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ବିଭାଗର ସଚିବ ଓ ଡିଆରଡିଓ ଅଧ୍ୟକ୍ଷ ଡ.ଜି.ସତୀଶ ରେଡ୍ଡୀ କଠିନ ସ୍ଥିତିରେ କରାଯାଇଥିବା ଏହି ପ୍ରଶଂସନୀୟ ପ୍ରଚେଷ୍ଟା ପାଇଁ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।