ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ପଠାଯାଇଛି ଟିକା 

172

କନକ ବ୍ୟୁରୋ: ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠା ଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ଭାରତର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା ଅନ୍ୟ ଦେଶକୁ ପଠାଯାଉଛି । ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟକୁ ଏହି କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ବିଭିନ୍ନ ଦେଶରୁ କାର୍ଯ୍ୟାଦେଶ ମିଳିଛି ।

ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ଟିକା ପଠାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ମଧ୍ୟ ଭାରତରେ ନିର୍ମିତ ଟିକା ପଠାଯିବାର ଅଛି । ଏନେଇ ସୂଚନା ଦେଇଛନ୍ତି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଭୂଟାନ, ମାଳଦ୍ୱୀପ, ବାଂଲାଦେଶ ଓ ନେପାଳକୁ ମାଗଣା କରୋନା ଟିକା ପଠାଇଛି ଭାରତ । ସାରା ବିଶ୍ୱରେ କରୋନା ମହାମାରୀ ବିରୋଧି ଲଢେଇରେ  ଭାରତରେ ନିର୍ମିତ ଟିକାର ବ୍ୟବହାର କରାଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନଜରରେ ରଖି ପଡୋଶୀ ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗଇ ଦିଆଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।