କନକ ବ୍ୟୁରୋ: ଟିମ ଇଣ୍ଡିଆ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ରହିଛି । ଯେଉଁଠି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳ ଚାଲିଛି । ଏହାପରେ ଭାରତକୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପଡିବ । ଯେଉଁଠି ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟି-୨୦ ଓ ୩ ଦିନିକିଆ ମ୍ୟାଚ ଖେଳାଯିବ । ତେବେ ଏହାରି ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ସୂଚୀ ଜାରି କରିଛି ବିସିସିଆଇ ।

ଗତ ମାସରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିଥିଲା । ଏହି ଟୁର୍ଣ୍ଣାମେଣ୍ଟ ପରେ କୋଚ ଭାବେ ରାହୁଲ ଦ୍ରାବିଡ କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ବିସିସିଆଇ ଗୌତମ ଗମ୍ଭୀରଙ୍କୁ କୋଚ ଭାବେ ନିଯୁକ୍ତି କରିଛି । ଶ୍ରୀଲଙ୍କା ଗସ୍ତରେ ଗମ୍ଭୀର ଭାରତୀୟ ଦଳକୁ କୋଚିଂ ଦେବେ । ବର୍ତ୍ତମାନ ଯାଏଁ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟିମ ଘୋଷଣା ହୋଇନାହିଁ । ହେଲେ ଚଳିତ ସପ୍ତାହର ଶେଷ ଆଡକୁ ଦଳ ଘୋଷଣା ହୋଇପାରେ । ଏହି ଗସ୍ତରେ ଟି-୨୦ର କମାଣ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନିକିଆର କମାଣ କେଏଲ ରାହୁଲଙ୍କୁ ଦିଆଯାଇପାରେ ।


୨୬ ଜୁଲାଇ- ପ୍ରଥମ ଟି-୨୦ - ପଲ୍ଲେକେଲ
୨୭ ଜୁଲାଇ- ଦ୍ୱିତୀୟ ଟି-୨୦ - ପଲ୍ଲେକେଲ
୨୯ ଜୁଲାଇ- ତୃତୀୟ ଟି-୨୦ - ପଲ୍ଲେକେଲ
୧ ଅଗଷ୍ଟ - ପ୍ରଥମ ଦିନିକିଆ – କୋଲମ୍ବୋ
୪ ଅଗଷ୍ଟ - ଦ୍ୱିତୀୟ ଦିନିକିଆ – କୋଲମ୍ବୋ
୭ ଅଗଷ୍ଟ – ତୃତୀୟ ଦିନିକିଆ – କୋଲମ୍ବୋ