ସେପ୍ଟେମ୍ବର ୨୦୨୧ ରେ C-295 ପରିବହନ ବିମାନ ପାଇଁ ୟୁରୋପୀୟ କମ୍ପାନୀ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ADSpace) ସହିତ ଭାରତ ୨୧ ହଜାର କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଥିଲା । ବୁଧବାର ଦିନ ଭାରତରେ ଏହାର ପ୍ରଥମ C-295 ରଣକୌଶଳ ସାମରିକ ଏୟାର ଲିଫ୍ଟ ବିମାନ ଆସି ପହଞ୍ଚିବ । ଏହାକୁ ଆଣିବା ପାଇଁ ବାୟୁସେନା ମୁଖ୍ୟ ବାୟୁସେନା ମାର୍ଶଲ ଭି.ଆର ଚୌଧୁରୀ ସ୍ପେନରେ ପହଞ୍ଚିଛନ୍ତି। ସ୍ପେନର ସେଭିଲ୍ ପ୍ଲାଣ୍ଟରେ C-295 ନିର୍ମାଣ କରାଯାଉଛି । ବାୟୁସେନାରେ ଏହାର ପ୍ରବେଶ ହିନ୍ଦନ୍ ଏୟାରବେସରେ ହେବ ।

Advertisment

ଦ୍ୱିତୀୟ ବିମାନ ମେ’ ୨୦୨୪  ସୁଦ୍ଧା ଆସି ପହଞ୍ଚିବ।

ଖବର ଅନୁଯାୟୀ ଆଗ୍ରା ଏୟାରବେସରେ ପ୍ରଥମ C-295 ପରିବହନ ବିମାନ ନିୟୋଜିତ ହେବ। ଯେଉଁଠାରେ ଏହାର ପାଇଲଟମାନଙ୍କ ପାଇଁ ତାଲିମ କେନ୍ଦ୍ର ମଧ୍ୟ ଆସନ୍ତା ବର୍ଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ ।

ସେପ୍ଟେମ୍ବର ୨୦୨୧ରେ C-295 ପରିବହନ ବିମାନ ପାଇଁ ୟୁରୋପୀୟ କମ୍ପାନୀ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ADSpace) ସହିତ ଭାରତ ୨୧ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା। ୫୬ ଟି ବିମାନ ପାଇଁ ଭାରତର ଚାହିଦା ଥିଲା । ସେଥିମଧ୍ୟରୁ ୧୬ ଟି ବିମାନ ସ୍ପେନରୁ ସମ୍ପୂର୍ଣ ପ୍ରସ୍ତୁତ ହୋଇ ଉଡ଼ାଣ କଲାପରି ଅବସ୍ଥାରେ ଆସି ପହଞ୍ଚିବ । ଅବଶିଷ୍ଟ ୪୦ଟି ବିମାନ ଗୁଜୁରାଟର ଭଦୋଦରାଠାରେ ଟାଟା ଆଡଭାନ୍ସଡ ସିଷ୍ଟମ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେବ ।

୨୦୨୪ ରୁ ଭାରତରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

୨୦୨୪ ମଧ୍ୟଭାଗରେ ଟାଟା ଆଡଭାନ୍ସଡ ସିଷ୍ଟମ ଲି ଦ୍ଵାରା ଏହାର ଭଦୋଦରା, ଗୁଜୁରାଟ ସ୍ଥିତ କାରଖାନାରୁ  C-295 ବିମାନ ଉତ୍ପାଦନ ଆରମ୍ଭ କରିବ ।  ବର୍ତ୍ତମାନ ଏହାର ଅନ୍ତିମ ପର୍ଯାୟ କାର୍ଯ୍ୟ ଚାଲିଛି ।  ପ୍ରଥମ ସ୍ୱଦେଶୀ C-295 ବିମାନ ୨୦୨୬ରେ ପ୍ରସ୍ତୁତ ହେବ ।  ଏୟାରବସ୍ ଏବଂ ଟାଟାର ହାଇଦ୍ରାବାଦ ଏବଂ ନାଗପୁର ପ୍ଲାଣ୍ଟରେ ୧୪,୦୦୦ ରୁ ଅଧିକ ସ୍ୱଦେଶୀ ଅଂଶ ପ୍ରସ୍ତୁତ ହେବ ଏବଂ ଫିଟିଙ୍ଗ  ପାଇଁ ଭଦୋଦରାକୁ ପଠାଯିବ ।  କମ୍ପାନୀ ୨୦୩୧ ସୁଦ୍ଧା ସମସ୍ତ ୪୦ ବିମାନକୁ ବାୟୁସେନାକୁ ହସ୍ତାନ୍ତର କରିବ ।

ନୌସେନା ଏବଂ କୋଷ୍ଟଗାର୍ଡ ମଧ୍ୟ ୧୫ ଟି ବିମାନ କିଣି ପାରନ୍ତି

ବାୟୁସେନା ବ୍ୟତୀତ ନୌସେନା  ଏବଂ ତଟରକ୍ଷୀ ବାହିନୀ ମଧ୍ୟ ୧୫-୧୬ଟି ବିମାନ କିଣି ପାରନ୍ତି । ବର୍ତ୍ତମାନ ଏଥିପାଇଁ ଆଲୋଚନା ଚାଲିଛି। ନୌସେନା ପାଇଁ ଉପକୂଳ ତଦାରଖ ଏବଂ ପାଟ୍ରୋଲିଂ ପାଇଁ ୧୦ଟି ବିମାନ ପ୍ରସ୍ତୁତ ହେବ ।  ଏଥିସହିତ କୋଷ୍ଟଗାର୍ଡ ମଧ୍ୟ ୬ଟି ବିମାନ ମାଧ୍ୟମରେ ଉପକୂଳରେ ନଜର ରଖିବ ଏବଂ ସୈନ୍ୟ ନେବାଆଣିବା କାର୍ଯ୍ୟରେ ନିଯୋଜିତ କରିବ ।

କେବଳ ଏତିକି ନୁହେଁ ଦେଶର ସୀମା ସୁରକ୍ଷା କରୁଥିବା ବିଏସ୍ଏଫ୍ ମଧ୍ୟ C-295 କିଣିବାକୁ ପ୍ରସ୍ତୁତ ହୋଇଛି । ବିଏସ୍ଏଫ୍ ପରି ପ୍ରାୟ ୩ ଟି  ସୁରକ୍ଷା ଏଜେନ୍ସି ମଧ୍ୟ ଏହାକୁ କିଣିବାକୁ ପ୍ରସ୍ତୁତ ଅଛି । ୬ ପାଇଲଟ୍ ଏବଂ ୧୦ ଜଣିଆ ଇଞ୍ଜିନିୟରଙ୍କ ଏକ ଟିମ୍ ସେଭିଲରେ ଏହି ବିମାନର ପରିଚାଳନା ସମ୍ବନ୍ଧୀୟ ସମସ୍ତ ତାଲିମ ସମାପ୍ତ କରିଛନ୍ତି ।

ବିମାନ C-295 ର ବୈଶିଷ୍ଟ୍ୟ

୧-ଏହି  ବିମାନଗୁଡ଼ିକ ସର୍ଟ ଟେକ୍ ଅଫ୍ ଏବଂ ଅବତରଣ କରିପାରିବ ।  କମ୍ପାନୀର କହିବାନୁସାରେ ଏହି ବିମାନଟି କେବଳ ୩୨୦ ମିଟର ଲମ୍ବ ରନ ବେ ରେ ଟେକ-ଅଫ କରିପାରିବ ସେହିପରି  ଅବତରଣ ପାଇଁ ଏହାକୁ ୬୭୦ ମିଟର ଲମ୍ବ ରନ ବେ ଆବଶ୍ୟକ କରେ । ଏହାର ଅର୍ଥ ଲଦାଖ, କାଶ୍ମୀର, ଆସାମ ଏବଂ ସିକ୍କିମ ପରି ପାହାଡ ଅଞ୍ଚଳରେ କାର୍ଯ୍ୟ ପାଇଁ ଏହା ବହୁତ ସହାୟକ ହେବ।

୨- ବିମାନଟି ୭୦୫୦ କିଲୋଗ୍ରାମ ଓଜନର ଭାର ଧାରଣ କରି ଯାତ୍ରା କରିପାରିବ ।  ଏହା ଏକ ସମୟରେ ୭୧ ସୈନିକ, ୪୪ ପାରାଟ୍ରପର୍,୨୪ ଷ୍ଟ୍ରେଚର୍ କିମ୍ବା ୫ କାର୍ଗୋ ପ୍ୟାଲେଟ୍ ନେଇପାରିବ ।

୩- ଏହି ବିମାନ ୧୧ ଘଣ୍ଟା ପାଇଁ ନିରନ୍ତର ଉଡିପାରିବ । ୨ ଜଣିଆ ପାଇଲଟ କ୍ୟାବିନରେ ଟଚ୍ ସ୍କ୍ରିନ୍ କଣ୍ଟ୍ରୋଲ୍ ସହିତ ଏକ ସ୍ମାର୍ଟ କଣ୍ଟ୍ରୋଲ୍ ସିଷ୍ଟମ୍ ଅଛି ।

୪- C-295MW ପରିବହନ ବିମାନର ପଛରେ ଏକ ରାମ୍ପ ଦ୍ୱାର ଅଛି, ଯାହା ଶୀଘ୍ର ଲୋଡିଂ ଏବଂ ସୈନିକ ଓଲ୍ହେଇବା ପାଇଁ ସହଜ ହେଇଥାଏ ।

୫- ଏହି ବିମାନରେ ୨ ଟି  Pratt & Whitney PW127 ଟାର୍ବୋ ଟ୍ରୁପ ଇଞ୍ଜିନ୍ ଲାଗିଛି । ଏହି ସମସ୍ତ ବିମାନଗୁଡ଼ିକ ସ୍ୱଦେଶୀ ଭାବରେ ନିର୍ମିତ ଇଲେକ୍ଟ୍ରୋନିକ୍ ଯୁଦ୍ଧ ସୁଟ୍ ସହିତ ସଜ୍ଜିତ ହେବ । ଭାରତୀୟ ବାୟୁସେନା

ଭାରତ ଏଗୁଡିକ କାହିଁକି କିଣୁଛି ?

ବାୟୁସେନା ନିଜର ପରିବହନ କାମ ପାଇଁ ଆଭ୍ରୋ ବିମାନକୁ ବ୍ୟବହାର କରୁଛି । ଯାହା ୬୦ ବର୍ଷ ତଳେ କିଣା ହୋଇଥିଲା । C-295 ବିମାନଗୁଡ଼ିକ ଭାରତୀୟ ବାୟୁସେନାରେ ଏହି ଆଭ୍ରୋ ବିମାନକୁ ବଦଳାଇବ ।  ବହୁ ବର୍ଷ ଧରି ପୁରୁଣା ବିମାନଗୁଡିକୁ ବଦଳେଇବା ପାଇଁ ଦାବି ହେଇ ଆସୁଥିଲା । ନୂତନ ବିମାନ କିଣିବା  ପାଇଁ ମେ, ୨୦୧୩ରେ ଟେଣ୍ଡର ଡକା ଯାଇଥିଲା । ମେ’ ୨୦୧୫ ରେ  ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଟାଟା ଗ୍ରୁପ୍ ଏବଂ ଏୟାରବସ୍ C-295 ବିମାନ ପାଇଁ ଟେଣ୍ଡର ଅନୁମୋଦନ କରିଥିଲା  ।

ଦେଶରେ ଏହି ୪୦ ଟି ବିମାନ ତିଆରି ହେବ ଦ୍ଵାରା ପ୍ରାୟ ୧୫  ହଜାର ଉଚ୍ଚ କୁଶଳୀ ନିଯୁକ୍ତି ସୃଷ୍ଟି ହେବ ବୋଲି ଏକ ଦାବି ମଧ୍ୟ ରହିଛି । ଏହା ସହିତ ୧୦ ହଜାର ଲୋକ ପରୋକ୍ଷଭାବେ ନିଯୁକ୍ତି ପାଇବେ ।