କନକ ବ୍ୟୁରୋ : ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଦକ୍ଷିଣ ଆଫ୍ରିକା ଟିମର ଖେଳାଳି । ଦିନ ଗୋଟାଏ ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଦୁଇ ଟିମକୁ ସ୍ୱାଗତ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ଶଂଖନାଦ ସହ ଘୋଡାନାଚରେ ସେମାନଙ୍କୁ ସ୍ୱାଗତ କରାଯିବ । ପରେ ଖେଳାଳିମାନଙ୍କୁ ଦୁଇଟି ବସରେ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ ମେ’ ଫେୟାରକୁ ନିଆଯିବ ।

Advertisment

ଏଥିପାଇଁ ପୋଲିସ ପକ୍ଷରୁ କାରକେଡ୍ ରିହର୍ସାଲ କରାଯିବା ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି । ହୋଟେଲରେ ପହଞ୍ଚିବା ପରେ ଖେଳାଳିମାନେ ଆଜି ପୂରା ଦିନ ବିଶ୍ରାମ ନେବେ । ଆସନ୍ତାକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ୍ ଯାଇ ଅଭ୍ୟାସ କରିବେ । ଦକ୍ଷିଣ ଆଫ୍ରିକାର ଖେଳାଳି ଗୋଟାଏରୁ ୪ଟା ପର୍ଯ୍ୟନ୍ତ ଏବଂ ଭାରତୀୟ ଖେଳାଳି ୫ଟାରୁ ୮ ପର୍ଯ୍ୟନ୍ତ ଅଭ୍ୟାସ କରିବା ପରେ ହୋଟେଲକୁ ଫେରିବେ । ୧୨ ତାରିଖ ଅପରାହ୍ଣ ୩ଟାରେ ଖେଳାଳିମାନେ ବାରବାଟୀ ଅଭିମୁଖେ ବାହାରିବେ । ମ୍ୟାଚ୍ ଶେଷ ହେବା ପରେ ୧୨ ତାରିଖ ଅପରାହ୍ଣ ୪ଟା ୧୫ରେ ଖେଳାଳିମାନେ ଭୁବନେଶ୍ୱରରୁ ଭାଇଜାଗ୍ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛ ।