କନକ ବ୍ୟୁରୋ: ଆଜି ବିଶ୍ୱକପରେ ସବୁଠୁ ବଡ଼ ମୁକାବିଲା । ପଏଣ୍ଟ ଟେବୁଲର ଦୁଇ ଟପ୍ ଟିମଙ୍କ ମଧ୍ୟରେ ହେବ ଲଢେଇ । କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଉଭୟ ଟିମ ଏବେ ଫୁଲ ଫର୍ମରେ ରହିଥିବାରୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

Advertisment

ବିଶ୍ୱକପରେ ଭାରତ ୭ ଟି ମ୍ୟାଚରୁ ୭ ଟି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୭ ଟି ରୁ ୬ ଟି ମ୍ୟାଚରେ ବିଜୟ ହୋଇଛି । କେବଳ ନେଦରଲ୍ୟାଣ୍ଡସଠୁ ପରାସ୍ତ ହୋଇଥିଲା ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ୱ ବହନ କରୁଛି । କାରଣ ଆଜିର ମ୍ୟାଚ ଜିଏ ଜିତିବ ସିଏ ପଏଂଟ ଟେବୁଲରେ ଶୀର୍ଷରେ ରହିପାରେ । ଉଭୟ ଦଳର ବ୍ୟାଟର ଏବେ ଭଲ ଫର୍ମରେ ଅଛନ୍ତି । ତେଣୁ ଆଜି ବଡ଼ ସ୍କୋର ଦେଖିବାକୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ହେଲେ ବୋଲିଂରେ ଦକ୍ଷିଣ ଆଫ୍ରିକାଠୁ ଭାରତର ପଦର୍ଶନ ଭଲ ରହିଛି ।

ଆହତ ଯୋଗୁ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଖେଳୁନଥିଲେ ମଧ୍ୟ ବୋଲିଂରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି । ବୁମରା, ସାମି, ସିରାଜଙ୍କ ପେସ ବୋଲିଂ ଆଗରେ ତିଷ୍ଟି ପାରୁନାହାନ୍ତି ବିପକ୍ଷ ବ୍ୟାଟର । ସେହିପରି ସ୍ପିନର ଭାବେ କୁଳଦୀପ ଯାଦବ, ରବିନ୍ଦ୍ର ଜାଡେଜା ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ସେପଟେ ବ୍ୟାଟିଂରେ ହାର୍ଦିକଙ୍କ ବଦଳରେ ସୁର୍ଯ୍ୟକୁମାର ଯାଦବଙ୍କୁ ଟିମରେ ସାମିଲ କରାଯାଇଛି । ତେଣୁ ହାର୍ଦିକ ପାଣ୍ଢ୍ୟାଙ୍କ ଅନୁପସ୍ଥିତି ଭାରତ ଉପରେ ଏତେଟା ପ୍ରଭାବ ପକାଇବ ନାହିଁ । ତେବେ ଚୁଡାନ୍ତ ଏକାଦଶରେ ଟିମ ଇଣ୍ଡିଆ କୌଣସି ପରିବର୍ତନ କରିନପାରେ ବୋଲି କୁହାଯାଉଛି ।