ଆସିଲା ଇଣ୍ଡିଆ ସ୍କିଲ ରିପୋର୍ଟ ୨୦୨୧ : ଦେଶରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଦକ୍ଷ; ପୁରୁଷଙ୍କ ନିଯୁକ୍ତି କ୍ଷମତା ୩୪ ଦଶମିକ ୨୬ ପ୍ରତିଶତ

Advertisment
ଆସିଲା ଇଣ୍ଡିଆ ସ୍କିଲ ରିପୋର୍ଟ ୨୦୨୧ : ଦେଶରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଦକ୍ଷ; ପୁରୁଷଙ୍କ ନିଯୁକ୍ତି କ୍ଷମତା ୩୪ ଦଶମିକ ୨୬ ପ୍ରତିଶତ

କନକ ବ୍ୟୁରୋ : ଆସିଲା ଇଣ୍ଡିଆ ସ୍କିଲ ରିପୋର୍ଟ ୨୦୨୧ । ଦେଶରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଦକ୍ଷ । ପୁରୁଷଙ୍କ ନିଯୁକ୍ତି କ୍ଷମତା ୩୪ ଦଶମିକ ୨୬ ପ୍ରତିଶତ ଥିବା ବେଳେ ହେଲେ ମହିଳାଙ୍କ କ୍ଷେତ୍ରରେ ଦକ୍ଷତା ୪୧ ଦଶମିକ ୨୫ ପ୍ରତିଶତ ରହିଛି । ୨୦୨୧ ରିପୋର୍ଟ ଭଳି ୨୦୨୦ ରିପୋର୍ଟରେ ମଧ୍ୟ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଯୁକ୍ତି ଦକ୍ଷତା ଅଧିକ ରହିଛି ।

୨୦୨୦ରେ ପୁରୁଷଙ୍କ ଦକ୍ଷତା ହାର ୩୪ ଦଶମିକ ୨୬ ପ୍ରତିଶତ ଥିବା ବେଳେ ମହିଳାଙ୍କ ନିଯୁକ୍ତି ଯୋଗ୍ୟ ହାର ୪୭ ପ୍ରତିଶତ ରହିଥିଲା । ୨୦୧୫ରୁ ୨୦୨୧ ମସିହା ମଧ୍ୟରେ କେବଳ ୨୦୧୮ ଏଂ ୨୦୧୯ ବର୍ଷକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବର୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦକ୍ଷତା ହାର ଅଧିକ ରହିଥିବା ଇଣ୍ଡିଆ ସ୍କିଲ୍ସ ରିପୋର୍ଟରୁ ଜଣାଯାଇଛି ।

ଅନ୍ୟପକ୍ଷରେ କାର୍ଯ୍ୟକ୍ଷେତ୍ରରେ ଅଂଶଗ୍ରହଣରେ ପୁରୁଷମାନେ ଏବେ ମହିଳାଙ୍କ ତୁଳନାରେ ଆଗରେ ଅଛନ୍ତି । କିନ୍ତୁ ଆଶ୍ବାସନାର ବିଷୟ ହେଲା ମହିଳାଙ୍କ ଅଂଶଗ୍ରହଣ ହାର ବଢ଼ିବାରେ ଲାଗିଛି । ୨୦୨୦ରେ କାର୍ଯ୍ୟରେ ମହିଳାଙ୍କ ଯୋଗଦାନ ଅନୁପାତ ୨୩ ପ୍ରତିଶତ ଥିବା ବେଳେ ୨୦୨୧ରେ ଏହା ୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏଠାରେ ପୁରୁଷ ଓ ମହିଳା କହିଲେ ସାଧାରଣତଃ ବିଭିନ୍ନ ବର୍ଗରେ ଶିକ୍ଷାଲାଭ କରିଥିବା ଛାତ୍ର ଓ ଛାତ୍ରୀଙ୍କୁ ବୁଝାଯାଇଛି। ନିଯୁକ୍ତିଦାତାମାନେ ନିଯୁକ୍ତି ସମୟରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଦକ୍ଷତା ଉପରେ ଅଗ୍ରାଧିକାର ଦେଇଥାନ୍ତି । ସେମାନେ ଯେତେ ଅଧିକ ଦକ୍ଷ ହେବେ କମ୍ପାନିର ଉତ୍ପାଦକତା ସେତେ ଅଧିକ ରହିବ । ଏଥିସହିତ ପରବର୍ତ୍ତୀ ସମୟରେ କର୍ମଚାରୀଙ୍କୁ ନୂଆ ନୂଆ ଜ୍ଞାନକୌଶଳ ସଂପର୍କରେ ତାଲିମ ଦେବା ପାଇଁ କମ୍ପାନିଗୁଡ଼ିକୁ ଅତିରିକ୍ତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପ୍ରତିଷ୍ଠାନର ଆବଶ୍ୟକତା ଅନୁସାରେ ତାଲିମ ଓ ଶିକ୍ଷା ଦେଲେ ସେମାନେ ଅଧିକ ଦକ୍ଷ ହୋଇପାରିବେ ।

ଓଡ଼ିଶା ପରିପ୍ରେକ୍ଷୀରେ ଏହି ରିପୋର୍ଟର ଏବେ ଯଥେଷ୍ଟ ଗୁରୁତ୍ବ ରହିଛି । ରାଜ୍ୟ ସରକାର ନିକଟରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରି ସାରିଛନ୍ତି । ଓଡ଼ିଶାରେ ତାଲିମ ଛାତ୍ର ବିଶ୍ବର ଯେକୌଣସି କମ୍ପାନି ଓ ସ୍ଥାନରେ ଯେଭଳି ନିଯୁକ୍ତି ପାଇପାରିବ ଏବଂ ଓଡ଼ିଶାରେ ତାଲିମପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସ୍ବତନ୍ତ୍ର ପରିଚୟ ରହିବ ତାହା ଉପରେ ରାଜ୍ୟ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କିଭଳି କରାଯାଇ ପାରିବ ତାହା ଉପରେ ଏବେଠାରୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ନଚେତ୍ ଓଡ଼ିଶା ପଛରେ ପଡ଼ିଯିବ ।

ଇଣ୍ଡିଆ ସ୍କିଲ୍‌ ୨୦୨୧ର ରିପୋର୍ଟ ଅନୁଯାୟୀ, ଦକ୍ଷ ଛାତ୍ରଛାତ୍ରୀ ଥିବା ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇପାରି ନାହିଁ। ଓଡ଼ିଶାରେ ୩୧ ପ୍ରତିଶତ ଛାତ୍ରଛାତ୍ରୀ ବି ନିଯୁକ୍ତି ପାଇଁ ଯୋଗ୍ୟ ନୁହନ୍ତି । ଅର୍ଥାତ ରାଜ୍ୟରେ ୬୯ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ନିଯୁକ୍ତି ପାଇଁ ଆବଶ୍ୟକ ଦକ୍ଷତା ନାହିଁ ବୋଲି ଇଣ୍ଡିଆ ସ୍କିଲ୍‌ସ ରିପୋର୍ଟରେ କୁହାଯାଇଛି । ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌ (ଏଆଇୟୁ), ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି), ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଭଳି ସଂସ୍ଥା ସହଯୋଗରେ ହ୍ବିଲ୍‌ବକ୍ସ ନାମକ ସଂସ୍ଥା ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦକ୍ଷତା ଆକଳନ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe