ବଢିବ ଆକାଶମାର୍ଗରୁ ଆକ୍ରମଣ କ୍ଷମତା ! ଭାରତ କିଣିବ ଅତ୍ୟାଧୁନିକ ‘ଷ୍ଟ୍ରମ୍ ଆଟାକା’ ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍, ଋଷିଆ ସହ ୨୦୦ କୋଟିର ଚୁକ୍ତି ।

303

କନକ ବ୍ୟୁରୋ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ପାକିସ୍ତାନ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଆଉ ଏହି ଏୟାରଷ୍ଟ୍ରାଇକ୍ ପରେ ନିଜ ଆକାଶମାର୍ଗକୁ ଅଧିକ ଶକ୍ତିଶାଳୀ କରୁଛି ଭାରତ । ଆକାଶମାର୍ଗରୁ ଆକ୍ରମଣ କ୍ଷମତା ବଢାଇବା ପାଇଁ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ କିଣୁଛି । ଗତ ମେ ମାସରେ ଅତ୍ୟାଧୁନିକ ସ୍ପାଇସ-୨୦୦୦ ବୋମା ପାଇଁ ଇସ୍ରାଏଲ ସହ ଚୁକ୍ତି ପରେ ଏବେ ଋଷିଆଠାରୁ ମାରାତ୍ମକ ‘ଷ୍ଟ୍ରମ ଆଟାକା’ ଆଣ୍ଟି ଟ୍ୟାଙ୍କ ମିସାଇଲ ଖରିଦ ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଭାରତ ।

ପ୍ରାୟ ୨୦୦ କୋଟି ଟଙ୍କାର ଏହି ମିସାଇଲ ଖରିଦ କରିବାକୁ ଋଷିଆ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ମିସାଇଲ ଗୁଡ଼ିକୁ ଏମଆଇ-୩୫ ହେଲିକାପ୍ଟରରେ ଖଞ୍ଜା ଯିବ । ଏହି ମିସାଇଲ ଲାଗିବା ପରେ ଏମଆଇ-୩୫ର ମାରକ କ୍ଷମତା ଅନେକ ଗୁଣରେ ବଢିଯିବ । ନିଜର ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ତିନିବାହିନୀକୁ କେତେକ ଆର୍ଥିକ କ୍ଷମତା ଦିଆଯାଇଛି । ଏହି କ୍ଷମତା ମାଧ୍ୟମରେ ତିନିବାହିନୀ ୩୦୦ କୋଟି ପର୍ଯ୍ୟନ୍ତ ସାମଗ୍ରୀ ସିଧାସଳଖ କିଣିପାରିବେ । ଏହି କ୍ଷମତା ପ୍ରୟୋଗ କରି ଭାରତୀୟ ବାୟୁସେନା ଏହି ମିସାଇଲ କିଣିବ । ଆସନ୍ତା ୩ ମାସ ମଧ୍ୟରେ ଏହି ମିସାଇଲ ଭାରତକୁ ହସ୍ତାନ୍ତର ହେବ ।