୭୨ତମ ସାଧାରଣତନ୍ତ୍ର ଦିବସରେ ଶକ୍ତି ଦେଖାଇଲା ଭାରତ । ଦିଲ୍ଲୀ ଆକାଶରେ ଗର୍ଜନ କରି ଉଡିଲା ରାଫେଲ ।

140

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଭାରତ ଦେଖାଇଛି ଶକ୍ତି ପ୍ରଦର୍ଶନ । ଅତ୍ୟାଧୁନିକ ହତିଆର, ମିସାଇଲ, ଲଢୁଆ ବିମାନ ସହ ସେନାର ଆକର୍ଷଣୀୟ ପ୍ରଦର୍ଶନ ବିଶ୍ୱକୁ ଦେଇଛି ଦୃଢତାର ବର୍ତ୍ତା । ଦିଲ୍ଲୀ ରାଜପଥରେ ରାଫେଲ, ବ୍ରହ୍ମୋସ ଓ ଅନ୍ୟ ମିସାଇଲ ପ୍ରଦର୍ଶନ ନିଶ୍ଚିତ ଭାବେ ନାଲିଆଖି ଦେଖାଇବା ପୂର୍ବରୁ ଶତ୍ରୁ ଦେଶକୁ ବାରମ୍ବାର ଚିନ୍ତା କରିବାକୁ ପଡିବ ।

୭୨ ତମ ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତ ଆଜି ତାର ଶକ୍ତି ପ୍ରଦର୍ଶନ କରିଛି । ରାଜଧାନୀ ଦିଲ୍ଲୀର ରାଜପଥରେ ଗୋଟିଏ ପରେ ଗୋଟିଏ ମାର ଅସ୍ତ୍ର ଆଉ ତା ସହ ବିଶ୍ୱର ଦ୍ୱିତୀୟ ବୃହତମ ସ୍ଥଳସେନାର ଶୌର୍ଯ୍ୟ, ଯେତିକି ଆକର୍ଷଣୀୟ ଥିଲା ସେତିକି ଦୃଢତାର ବାର୍ତା ବି ସାରା ବିଶ୍ୱକୁ ଦେଉଥିଲା ।

ଭାରତ-ଚୀନ ସୀମାରେ ଉତେଜନା ମଧ୍ୟରେ ଆଜି ସାଧାରଣତନ୍ତ୍ର ଦିବସରେ ଭାରତୀୟ ସେନା ତାର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ, ରାଫେଲକୁ ପ୍ରଦର୍ଶନ କରିଛି । ଦିଲ୍ଲୀ ଆକାଶରେ ରାଫେଲ ଯେେତେବେଳ ଗର୍ଜନ କରି ଉଡୁଥିଲା, ସମସ୍ତଙ୍କ ଛାତି କୁଣ୍ଢେମୋଟ ହୋଇଯାଉଥିଲା, ଆଉ ସମସ୍ତେ ଅନୁଭବ କରୁଥିଲେ , ଭାରତକୁ ନାଲି ଆଖି ଦେଖାଇବା ପୂର୍ବରୁ ଶତ୍ରୁକୁ ଦଶଥର ଚିନ୍ତା କରିବାକୁ ପଡିବ । ୨ ଟି ଜାଗୁଆର ଓ ୨ଟି ମିଗ ୨୧ ସହ ଏକଲବ୍ୟ ଶୈଳୀରେ କୌଶଳ ପ୍ରଦର୍ଶନ କରିଛି ରାଫେଲ ।

“ବ୍ର୍ରହ୍ମୋସ” ହେଉଛି ଭାରତୀୟ ସେନାର ବ୍ରହ୍ମାସ୍ତ୍ର । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଶକ୍ତିଶାଳୀ ମିଜାଇଲ ଘଂଟାପ୍ରତି ୪ ଶହ କିଲୋମିଟର ଗତି କରି, ଶତ୍ରୁପକ୍ଷରେ ବିଧ୍ୱଂସକ ହମଲା କରିବାର ଶକ୍ତି ରଖିଛି । ସେହିପରି ଟି-୯୦ ଟ୍ୟାଙ୍କ ଭୀଷ୍ମ ମଧ୍ୟ ନିଜ ଶକ୍ତି ଦେଖାଇଥିଲା । ଯେଉଁ ଟ୍ୟାଙ୍କର ନାଁ ଶୁଣିଲେ ଶତ୍ରୁପକ୍ଷ ବି ଥରିଉଠନ୍ତି । ଏହି ଟ୍ୟାଙ୍କ ରାତିରେ ୫ କିଲୋମିଟର ପରିଧି ମଧ୍ୟରେ ଶତ୍ରୁର ଆଡ୍ଡାକୁ ଧ୍ୱଂସ କରିବାର କ୍ଷମତା ରଖିଥାଏ । ଏହା ଜଳରେ ମଧ୍ୟ ଗତି କରି ଶତ୍ରୁପକ୍ଷକୁ ଛାରଖାର କରିଦେଇପାରିବ ।

୭୨ ତମ ଗଣତନ୍ତ୍ର ଦିବସରେ ପ୍ରଥମ କରି ଦିଲ୍ଲୀ ଆକାଶରେ ଉଡିଲା ଡାକୋଟା ବିମାନ । ଦୁଇଟି ମିଗ ୨୭ ବିମାନ ସହ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ହେରିଟେଜ ବିମାନ ଡାକୋଟା ଦିଲ୍ଲୀ ଆକାଶରେ କଳାକୌଶଳ ପ୍ରଦର୍ଶନ କରିଛି । ୧୯୪୭ରେ କାଶ୍ମୀର ଘାଟି ଓ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୈନିକ ଓ ସାମରିକ ଉପକରଣ ପହଞ୍ଚାବାରେ ପ୍ରମୁଖ ଭୂମିକା ନେଇଥିଲା ଡାକୋଟା ।

ଦିଲ୍ଲୀୃ ରାଜପଥରେ ଆଉ ଏକ ଟ୍ୟାଙ୍କ ଟି-୭୨, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ଏମିତି ଏକ ଟ୍ୟାଙ୍କ ଯାହା ଅଳ୍ପ ସମୟ ମଧ୍ୟରେ ୨୦ ମିଟର ଯାଏଁ ପୋଲ ତିଆରି କରିପାରିବ । ଦୁର୍ଗମ ଅଞ୍ଚଳ , ଖାଲ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୈନିକ ଆଗକୁ ବଢିବା ପାଇଁ ଏହାଦ୍ୱାରା ତତକ୍ଷଣାତ ପୋଲ ତିଆରି କରିପାରିବ । ପରେଡରେ ଆଉ ଏକ ଆକର୍ଷଣ ଥିଲା ବାଂଲାଦେଶ ରେଜିମେଂଟର ୧୨୨ ଜଣ ଯବାନଙ୍କ ମାର୍ଚ । ଚଳିତବର୍ଷ ଭାରତ-ବାଂଲାଦେଶ ସମ୍ପର୍କର ୫୦ ବର୍ଷ ପୂର୍ତି ହେଉଥିବାରୁ ରାଜପଥରେ ପ୍ରଥମ ଥର ଏହି ରେଂଜିମେଂଟ ଅଂଶଗ୍ରହଣ କରି ସମସ୍ତଙ୍କ ମନ ମୋହିଥିଲା ।