ପୁଲୱାମା ଆକ୍ରମଣକୁ ନେଇ ଚୀନ ମିଡିଆର ଚାଂଚଲ୍ୟକର ଖବର ! ପାକିସ୍ତାନ ଆତଙ୍କବାଦ ଦ୍ୱାରା ପ୍ରଭାବିତ ଥିବା ନେଇ ପ୍ରକାଶ ପାଇଲା ଖବର ।

691

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ଘଟଣା ପରେ ଭାରତରେ ସାଧାରଣ ଲୋକଙ୍କ ମନରେ ଆକ୍ରୋଶ ନିଆଁ ଜଳୁଥିବା ବେଳେ ଚୀନରୁ ଆସିଛି ଏକ ପ୍ରତିକୂଳ ମନ୍ତବ୍ୟ । ଚୀନର ଜାତୀୟ ଗଣମାଧ୍ୟମ ଗ୍ଲୋବାଲ ଟାଇମରେ ପ୍ରକାଶ ପାଇଛି ଏକ ଚାଂଚଲ୍ୟକର ଖବର । ପାକିସ୍ତାନ ଓ ଚୀନକୁ ଭାରତ ଆତଙ୍କବାଦୀର ସହାୟକ ଭାବେ ଚିତ୍ରଣ କରିବା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଭାରତର ଆତଙ୍କବାଦୀ ବିରୋଧୀ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି ଚୀନ ଗଣମାଧ୍ୟମ । ପାକିସ୍ତାନ ଓ ଚୀନ ପ୍ରତି ଭାରତର ଦୃଷ୍ଟି ଭଙ୍ଗିକୁ ଭୁଲ ବୋଲି କହିଛି ଗ୍ଲୋବାଲ ଟାଇମ୍ । ଆତଙ୍କବାଦ ବିରୋଧୀ ପ୍ରସଙ୍ଗରେ ଭାରତ ଅଧିକ ଭଲ ଭାବେ ତର୍ଜମା କରିବା ଉପରେ ମତାମତ ରଖିଛି ଏହି ପୋର୍ଟାଲ । ପୁଲୱାମା ଆତଙ୍କୀ ଆକ୍ରମଣ ନେଇ ଭାରତ,  ପାକିସ୍ତାନର ହାତ ଥିବା ନେଇ କହୁଥିବା ବେଳେ ଏଥିରେ ଜୈସ-ଇ-ମହମ୍ମଦ ମାସୁଦ ଆଝାରର ସଂପୃକ୍ତି ନେଇ ଦାବି କରୁଛି । ଅନ୍ୟପଟେ ଆଝାର ପ୍ରତି ନରମ ମନୋଭାବ ରଖି ଆସିଛି ଚୀନ । 

ଆତଙ୍କବାଦ ପ୍ରସଙ୍ଗରେ ଚୀନ ପାକିସ୍ତାନକୁ ସମର୍ଥନ ଦେଉଥିବା ନେଇ ଭାରତ ଅଭିଯୋଗ କରି ଆସୁଛି । ଏନେଇ ଗ୍ଲୋବାଲ ଟାଇମ୍ ମତ ରଖି କହିଛି, ପାକିସ୍ତାନ ନିଜେ ଆତଙ୍କବାଦ ଦ୍ୱାରା ପ୍ରଭାବିତ । ଚୀନ ଆତଙ୍କବାଦ ବିରୋଧ ଲଢେଇରେ ବିଶ୍ୱ ସମୁଦାୟ ସହ ସବୁ ବେଳେ ରହି ଆସିଛି । ଏଥିରେ ସେ ଭାରତ ସମେତ ଅନ୍ୟ ଦେଶଙ୍କ ସହ ମଧ୍ୟ ରହିଛି । ସାଂପ୍ରତିକ ପରିସ୍ଥିତିରେ ଚୀନ ଓ ଭାରତ ସଂପର୍କ ମଧ୍ୟରେ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାର ମୁଖ୍ୟ ପ୍ରସଙ୍ଗ ହୋଇଛି । ଆଝାରକୁ ଚୀନ ସବୁ ବେଳେ ସମର୍ଥନ ଦେଇ ଆସିଛି । ସେପଟେ ମାସୁଦ ପ୍ରସଙ୍ଗରେ ଭାରତକୁ ପୁନଃ ଆତ୍ମ ସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି ଚୀନ କୂଟନୀତିଜ୍ଞ । ଉପଯୁକ୍ତ ପ୍ରମାଣ ନଥାଇ ଚୀନ ବିରୋଧରେ ଅଭିଯୋଗ କରିବା ଉଚିତ ନୁହେଁ ବୋଲି ଉଲ୍ଲେଖ କରିଛି ଗ୍ଲୋବାଲ ଟାଇମ୍ । ଚୀନ ଓ ପାକିସ୍ତାନ, ଭାରତର ଆତଙ୍କବାଦ ବିରୋଧ ଲଢେଇରେ ଶତ୍ରୁ ନୁହନ୍ତି ବୋଲି କହିଛି ଚୀନର ଏହି ଜାତୀୟ ଗଣମାଧ୍ୟମ ।