ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର ନହେଲେ ଜଳସମାଧି ନେବି । ଜାଣନ୍ତୁ କିଏ ଦେଲେ ଏଭଳି ଚେତାବନୀ? 

825

କନକ ବ୍ୟୁରୋ : ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର ନଚେତ ଜଳସମାଧି ନେବି । କିଛି ଏଭଳି ଚେତାବନୀ ଦେଇଛନ୍ତି ସନ୍ଥ ଜଗଦଗୁରୁ ପରମହଂସ ଆଚାଯ୍ୟ ମହାରାଜ । ଆଗାମୀ  ଅକ୍ଟୋବର ୨ ସୁଦ୍ଧା ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି ଉଠାଇଛନ୍ତି ଜଗଦଗୁରୁ ପରମହଂସ । ଏପରିକି ମୁସିଲିମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ଜାତୀୟତା ଶେଷ କରିବାକୁ ମଧ୍ୟ ଦାବି କରିଛନ୍ତି । ଯଦି ଏପରି ନହୁଏ ତେବେ ଜଳସମାଧି ନେବି ବୋଲି ଚେତାବନୀ ଦେଇଛନ୍ତି ଜଗଦଗୁରୁ ପରମହଂସ । ଆଗକୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ଜଗଦଗୁରୁଙ୍କ ଏଭଳି ଦାବି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉତ୍ତରପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ରାଜନୀତି ସରଗରମ ରହିଛି । ଜାତି ଓ ଧର୍ମ ଆଧାରରେ ରାଜନୀତି ତେଜୁଥିବା କୁହାଯାଉଛି । ପ୍ରତ୍ୟେକ ଦଳ ନିଜର ଭୋଟବ୍ୟାଙ୍କ ହାତେଇବାକୁ ଜି ଜାନ୍ ଲଗାଇ ଦେଇଛନ୍ତି । ଏଭଳିସ୍ଥଳେ ଜଗଦଗୁରୁଙ୍କ ବୟାନ ବେଶ ଗୁରୁତ୍ୱ ବହନ କରୁଛି । ଖବର ସରବରାହ ସଂସ୍ଥା ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଗଦଗୁରୁ ପରମହଂସ କହିଛନ୍ତି, ଆସନ୍ତା ଅକ୍ଟୋବର ୧ରେ ସନାତନ ଧର୍ମ ସଂସଦ ଆୟୋଜନ କରାଯିବ  । ଅକ୍ଟୋରବ ୨ରେ ଯଦି ଆମ ଦାବିକୁ ଗ୍ରହଣ କରାନଯିବ ତେବେ ମୁଁ ଜଳସମାଧି ନେବି । ହୁଏତ ପ୍ରଧାନମନ୍ତ୍ରୀ ମୋଦି ମୋତେ ଶ୍ରଦ୍ଧାଞ୍ଜଳି ଦେବା ସହ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିଦେବେ ।  କିଛି ମାସ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖି ନିଜର ମୃତ୍ୟୁ ଖବର ଦେଇ ଚର୍ଚ୍ଚାକୁ ଆସିଥିଲେ ଜଗଦଗୁରୁ ପରମହଂସ ।

ଏହାପୂର୍ବରୁ ଆରଏସଏସ ମୁଖ୍ୟ ମୋହନ ଭାଗବତ ହିନ୍ଦୁ ରାଷ୍ଟ୍ରର ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଦେଶର ୧୩୦ କୋଟି ଭାରତୀୟ ହିନ୍ଦୁ କାରଣ ସମସ୍ତଙ୍କର ପୂର୍ବଜ ହିଁ ହିନ୍ଦୁ ।