ଦୈନିକ ସଂକ୍ରମଣର ନୂଆ ବିଶ୍ୱ ରେକର୍ଡ କଲା ଭାରତ ।୨୪ ଘଂଟାରେ ୪ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୫ ଶହରୁ ଅଧିକ ମୃତ ।

254

କନକ ବ୍ୟୁରୋ: ଦେଶରେ ଟିକାକରଣ ଚାଲିଥିବା ବେଳେ ସାଂଘାତିକ ହେଉଛି କରୋନା ସ୍ଥିତି । ସାରା ବିଶ୍ୱରେ ଦୈନିକ ସଂକ୍ରମଣ ଚିହ୍ନଟ ମାମଲାରେ ଭାରତ ଆଜି ଅଲୋଡା ରେକର୍ଡ କରିଛି । ଗତ ୨୪ ଘଂଟାରେ ଦେଶରୁ ୪ଲକ୍ଷ ୧ହଜାର ୯୩୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୩ହଜାର ୫୨୩ ସଂକ୍ରମିତ ପ୍ରାଣ ହରାଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୧ଲକ୍ଷ ୬୪ହଜାର ୯୬୯ରେ ପହଁଚିଛି । ଦେଶରେ ଏବେ ୩୨ ଲକ୍ଷ ୬୮ହଜାର ୭୧୦ ସକ୍ରିୟ ସଂକ୍ରମିତ ଚିକିତ୍ସିତ ଅଛନ୍ତି । ଦିନକୁ ଦିନ କରୋନା ମିଟର ଉପରମୁହାଁ ହୋଇଚାଲିଛି ।

ଭାରତରେ କରୋନା ସଂକ୍ରମଣର ଚେନ ଉପରେ କେମିତି ଲାଗିବ ବ୍ରେକ ସେନେଇ ପରାମର୍ଶ ଦେଇଛନ୍ତି ଆମେରିକା ଡାକ୍ତର ଏନ୍ଥୋନୀ ଫସି । ବାଇଡେନ ପ୍ରଶାସନର ଚିଫ ମେଡିକାଲ ଅଫିସର ଏନ୍ଥୋନୀ ଫସି ସଂକ୍ରମଣ ରୋକିବାକୁ ୩ ସୂତ୍ରୀ ଉପାୟ ବତାଇଛନ୍ତି ।

୧ ଅସ୍ଥାୟୀ ଲକଡାଉନ୍
ଡାକ୍ତର ଫସି କହିଛନ୍ତି, ଭାରତରେ ସଂକ୍ରମଣର ଚେନକୁ ଭାଙ୍ଗିବାକୁ ୬ମାସ ଲକ୍ଡାଉନ କରିବା ଆବଶ୍ୟକ ନୁହେଁ, କିଛି ସପ୍ତାହର ଲକ୍ଡାଉନ ଲାଗୁ, କରୋନା ଚେନ ଭାଙ୍ଗିବା ପାଇଁ ଫଳପ୍ରଦ ଉପାୟ ହୋଇପାରିବ ।

୨ ଅକ୍ସିଜେନ, ଔଷଧ ସମସ୍ୟା ଦୂର କରିବା
ଲୋକଙ୍କୁ ଟିକାକରଣ କରିବା ନିହାତି ଦରକାର, ହେଲେ ଏହାର ପ୍ରଭାବ ବିଳମ୍ବରେ ଆରମ୍ଭ ହେବ । ତେଣୁ ଏହା ଲୋକଙ୍କ ଅକ୍ସିଜେନ ଆବଶ୍ୟକ ଓ ହସ୍ପିଟାଲରେ ଭର୍ତି ହେବା ସମସ୍ୟାକୁ ରୋକିପାରିବ ନାହିଁ । ତେଣୁ ଅକ୍ସିଜେନ, ଔଷଧ ଅଭାବ ସମସ୍ୟାରେ ସୁଧାରକୁ ପ୍ରାଥମିକତା ଦେବା ଉଚିତ୍ ।

୩ ଚୀନ ଭଳି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ
ଭାରତରେ ଲୋକ ଚିକିତ୍ସା ପାଇଁ ହସ୍ପିଟାଲ ଘୁରି ବୁଲୁଥିବାରୁ, ଚୀନ ଭଳି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯିବା ଉଚିତ୍ । ଚୀନ କିଛି ସପ୍ତାହ ଭିତରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରି ଚିକିତ୍ସା ସେବା ଯୋଗାଇବାରେ ସଫଳ ହୋଇଥିଲା । ଏଥିପାଇଁ ଦରକାର ହେଲେ ସେନାର ସହାୟତା ମଧ୍ୟ ନିଆଯାଇ ପାରେ । ଆମେରିକା ମଧ୍ୟ ଟିକା ବିତରଣ ପାଇଁ ନେସନାଲ ଗାର୍ଡର ସହାୟତା ନେଇଥିଲା ବୋଲି କହିଛନ୍ତି ଡାକ୍ତର ଏନ୍ଥୋନୀ ଫସି ।

ଏପ୍ରିଲ ୨୨ ତାରିଖରୁ ଦେଶରେ ୩ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମେ’ ପହିଲାରେ ସଂକ୍ରମଣ ସଂଖ୍ୟା ୪ଲକ୍ଷ ଟପି ନୂଆ ରେକର୍ଡ କରିଛି । ଆଉ ଏହି ଧାରା ଆଗକୁ ଜାରି ରହିଲେ ଦେଶ ଓ ସ୍ୱାସ୍ଥ୍ୟ ସେବାର ସ୍ଥିତି କଣ ହେବ ଏବେ କହିବା ମୁସ୍କିଲ ।