ଡେବ୍ୟୁ ମ୍ୟାଚରେ କୁର୍ଣ୍ଣାଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ଇଂଲଣ୍ଡ ସାମ୍ନାରେ ୩୧୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ ।

121

କନକ ବ୍ୟୁରୋ : ଡେବ୍ୟୁ ମ୍ୟାଚରେ କୁର୍ଣ୍ଣାଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ପ୍ରଥମ ଦିନିକିଆରେ ଇଂଲଣ୍ଡ ସାମ୍ନାରେ ୩୧୮ ରନର ବିଶାଳ ବିଜୟଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ମାତ୍ର ୩୧ ବଲରେ ୫୮ ରନର ଇନିଂସ ଖେଳି ଦମଦାର ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କୁର୍ଣ୍ଣାଲ ପାଣ୍ଡ୍ୟା । କେବଳ କୁର୍ଣ୍ଣାଲ ନୁହେଁ କେଏଲ ରାହୁଲ ମଧ୍ୟ ଧୂଆଁଧାର ବ୍ୟାଟିଂ କରି ୬୨ ରନର ଇନିଂସ ଖେଳିବା ସହ ଭାରତର ସ୍କୋର ୩୧୭ରେ ପହଞ୍ଚାଇଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିିଂ କରିଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ବେଶ ସର୍ତକତାର ସହ ଖେଳିଥିଲା । ପ୍ରଥମ ୧୦ ଓଭରରେ ମାତ୍ର ୩୯ ରନ କରିବାକୁ ସକ୍ଷମ ହୋଇଥିଲା ଭାରତ । ତେବେ ରୋହିତଙ୍କ ୱିକେଟ ହରାଇ ଭାରତ ସଙ୍କଟରେ ପଡିଥିବା ବେଳେ ପାଳି ସମ୍ଭାଳିଥିଲେ ବିରାଟ ଓ ଧୱନ । ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିବା ବେଳେ ୫୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ କୋହଲି । ଆଉ ଏହାପରେ ଲଗାତାର ୱିକେଟର ପତନ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଧୱନ ୯୮ ରନ୍ କରି ଆଉଟ ହୋଇଥିବା ବେଳେ ଆୟାର ୬ ଓ ପାଣ୍ଡ୍ୟା ମାତ୍ର ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

କିନ୍ତୁ କ୍ରିଜକୁ କୁର୍ଣ୍ଣାଲ ଆସିବା ପରେ ବଦଳି ଯାଇଥିଲା ମ୍ୟାଚର ରୂପରେଖ । ଗୋଟିଏ ପଟେ ରାହୁଲ ସତକର୍ତାର ସହ ଖେଳିଥିବା ବେଳେ ଅନ୍ୟପଟେ କୁର୍ଣ୍ଣାଲ ପ୍ରଥମରୁ ହିଁ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଆଉ ଉଭୟଙ୍କ ମଧ୍ୟରେ ମାତ୍ର ୫୭ ବଲରେ ୧୧୨ ରନର ଭାଗିଦାରୀ ବଳରେ ଟିମ୍ ଇଣ୍ଡିଆ ୩୧୭ ରନର ବିଶାଳ ସ୍କୋର ଛିଡା କରିପାରିଥିଲା । ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ ୨ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ ।