କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା ଦିଆଯାଇଛି । ଏହି କ୍ରମରେ ଭାରତ ତରଫରୁ ୩୨ ଟନ୍ ନିତ୍ୟାବଶକୀୟ ସାମଗ୍ରୀ ସି-୧୭ ଏୟାରକ୍ରାଫ୍ଟ ସହାୟତାରେ ମିଶର ପଠାଯାଇଛି । ସେପଟେ ମିଳିତ ଜାତିସଂଘ କହିଛି କି ଅଲସିଫା ହସ୍ପିଟାଲରେ ଏବେ ବି ୨୫ ଜଣ କର୍ମଚାରୀ, ୨୯୧ ଜଣ ରୋଗୀ ଓ ୩୨ ଜଣ ନବଜାତ ଶିଶୁ ରହିଛନ୍ତି । ଏହି ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

Advertisment

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି କି, ଗାଜାର ଅଲ-ସିଫା ହସ୍ପିଟାଲ ଏବେ ମୃତ୍ୟୁର ଜନ୍ତା ପାଲଟିଯାଇଛି । ସେପଟେ ଆମେରିକା ଗଣମାଧ୍ୟମ ୱାସିଂଟନ୍ ପୋଷ୍ଟ ନିଜ ରିପୋର୍ଟରେ ଦାବି କରିଛି କି, ଇସ୍ରାଏଲ- ଆମେରିକା ଓ ହମାସ ମଧ୍ୟରେ ବନ୍ଧକମାନଙ୍କୁ ମୁକୁଳାଇବାକୁ ଖୁବଶୀଘ୍ର ଚୁକ୍ତି ହେବ । ରିପୋର୍ଟ ମୁତାବକ କତାର ମାଧ୍ୟମରେ ଏହି ଚୁକ୍ତି ହେବାକୁ ଯାଉଛି । ଏଥିରେ ବନ୍ଧକମାନଙ୍କୁ ଛାଡିବା ପାଇଁ ୫ ଦିନ ଯୁଦ୍ଧ ବିରତି ଘୋଷଣା କରାଯାଇପାରେ । ହେଲେ ହ୍ୱାଇଟ୍ ହାଉସର ପ୍ରବକ୍ତା କହିଛନ୍ତି କି, ବନ୍ଧକମାନଙ୍କୁ ମୁକୁଳାଇବାକୁ ଏପର୍ଯ୍ୟନ୍ତ ହମାସ ସହ କୌଣସି ଚୁକ୍ତି ହୋଇନାହିଁ ।

ଏସବୁ ଭିତରେ ଅଡୁଆରେ ପଡିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଯୁଦ୍ଧକୁ ବିରୋଧ କରି ଇସ୍ରାଏଲର ତେଲ-ଅବିବରୁ ଆରମ୍ଭ ହୋଇଥିବା ରାଲି ଶନିବାର ରାତିରେ ଜେରୁଜେଲମ ଠାରେ ପହଂଚିଛି । ଏହି ରାଲିରେ ପାଖାପାଖି ୩୦ ହଜାର ଲୋକ ରହିଛନ୍ତି । ସେମାନେ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେମାନଙ୍କର ଦାବି ରହିଛି କି ଇସ୍ରାଏଲ ସରକାର ତୁରନ୍ତ ହମାସ ବନ୍ଧକ ରଖିଥିବା ନାଗରିକଙ୍କୁ ଉଦ୍ଧାର କରୁ ।