ବେଜିଂର ରଣନୀତିକୁ ହାଇଜାକ କଲେ ମୋଦୀ ସରକାର : ପଡୋଶୀ ଦେଶକୁ ଟିକା ପଠାଇ ହୃଦୟ ଜିତୁଛି ଭାରତ; ଭାରତ ଦେଲାଣି ୬୦ଲକ୍ଷ ୮୦ହଜାର ଡୋଜ୍ ଟିକା

170

କନକ ବ୍ୟୁରୋ : ପଡୋଶୀ ଦେଶରେ ଯେଉଁ ରଣନୀତି ବେଜିଂ ଆରମ୍ଭ କରିଥିଲା, ତାକୁ ହାଇଜାକ କରିନେଇଛନ୍ତି ମୋଦି ସରକାର । ବର୍ତମାନ ସୁଧା ଭାରତ ଏହାର ପଡୋଶୀ ଦେଶଗୁଡିକୁ ପ୍ରାୟ ୬୦ ଲକ୍ଷ ୮୦ ହଜାର ଡୋଜ୍ କରୋନା ଟିକା ଦେଇସାରିଛି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ, ସୂଚନା ଦେଇଥିଲେ ଭାରତ ପ୍ରାୟ ୧୭ଟି ଦେଶକୁ ଟିକା ଦେଇଛି । ଆହୁରି ୨୫ଟି ଦେଶକୁ ଟିକା ପଠାଯିବ । ବର୍ତମାନ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଟିକା ଉପହାର ଆକାରରେ ଦିଆଯାଇଛି ।

ସେହିପରି ୨ କୋଟି ୯୪ ଲକ୍ଷ ଡୋଜ୍ ଟିକା ବିକ୍ରି କରାଯାଇଛି । ବାଂଲାଦେଶ, ମିଆଁମାର, ନେପାଳ, ଭୁଟାନ, ମାଳଦ୍ୱୀପ, ମରିଶସ, ସିସଲ୍ସ, ଶ୍ରୀଲଙ୍କା, ବାହାରିନ, ଓମାନ, ଆଫଗାନିସ୍ତାନ, ବାର୍ବାଡୋସ୍ ଏବଂ ଡୋମିନିକା ରିପବ୍ଲିକ୍ ଭଳି ଦେଶକୁ ଟିକା ଯୋଗାଇ ଦେଇଛି ଭାରତ । ସେହିପରି ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସମସ୍ୟା ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ ମଧ୍ୟ କୋ-ଭାକ୍ସ ନାଁରେ ଏକ ପ୍ରୋଗ୍ରାମ ଆରମ୍ଭ କରିଛି । ଏଥିରେ ଗରିବ ଦେଶ ଗୁଡିକୁ ଅନ୍ୟ ବିକଶିତ କିମ୍ବା ବିକାଶଶୀଳ ଦେଶ ଟିକା ଯୋଗାଇ ଦେବାକୁ ଯୋଜନା ରହିଛି । ଏହି ଯୋଜନାରେ ମଧ୍ୟ ଭାରତ ଆଫ୍ରିକୀୟ ଦେଶ, ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣା ଟିକା ଯୋଗାଇ ଦେଇଛି ।

ହେଲେ ଏହି ସମୟ ଭିତରେ ଚୀନ, ଗରିବ ଦେଶଗୁଡିକୁ ଦେଇଛି ୩୦ ଲକ୍ଷ ୯୦ ହଜାର ଡୋଜ୍ ଟିକା । ସମସ୍ତ ପଡୋଶୀ ନେପାଳ, ବାଂଲାଦେଶ, ଶ୍ରୀଲଙ୍କାକୁ କରୋନା ଟିକା ଯୋଗାଇ ଦେଇଛି ଭାରତ । ମିଆଁମାରର ସୀମା ଉଭୟ ଭାରତ ଓ ଚୀନକୁ ଲାଗିଛି । ଚୀନ ମଧ୍ୟ ମିଆଁମାରକୁ ୩ ଲକ୍ଷ ଡୋଜ୍ କରୋନା ଟିକା ଯୋଗାଇ ଦେବାକୁ କହିଥିଲା । ହେଲେ ଚୀନ ଟିକା ପହଂଚି ନଥିବାବେଳେ ଭାରତ ଏଠାରେ ୧ ଲକ୍ଷ ୭୦ ହଜାର ଡୋଜ୍ କୋଭିସିଲ୍ଡ ଟିକା ପହଂଚାଇ ସାରିଛି ।

ଚୀନର ଉହାନରୁ ଆରମ୍ଭ ହୋଇଥିଲା କରୋନା ମହାମାରୀ । ଯାହା ଚାହୁଁଚାହୁଁ ସାରା ବିଶ୍ୱକୁ ବ୍ୟାପିଗଲା । ହେଲେ ଚୀନ ନିଜ ଦେଶରେ ଏହି ମହାମାରୀକୁ ପ୍ରଥମେ ନିୟନ୍ତ୍ରଣ କରିପାରିଲା । ସେହିପରି ଟିକା ପ୍ରଥମେ ପ୍ରସ୍ତୁତ କରି ନିଜ ଦେଶରେ ଟିକାକରଣ ଆରମ୍ଭ କରିଦେଲା । ଅନ୍ୟପକ୍ଷରେ ଭାରତରେ ଏବେ ବି କରୋନାର ପ୍ରକୋପ କମିନାହିଁ । ୧୩୫ କୋଟି ଲୋକ ଥିବା ଏକ ବିଶାଳ ଜନସମଖ୍ୟାର ଟିକାକରଣ କରି କରୋନା ମୁକାବିଲା ଏବେ ବି ବାକି ରହିଛି । ତଥାପି ଭାରତ ତାର ପଡୋଶୀ ଦେଶଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେଇ ଏକ ବିରାଟ ଟିକା କୂଟନୀତି ଆରମ୍ଭ କରିବା ସହ ପଡୋଶୀଙ୍କ ହୃଦୟ ଜିତି ଚୀନକୁ ମାତ ଦେବାରେ ସମର୍ଥ ହେଉଛି ।