୪୧ ବର୍ଷ ପରେ ଭାରତ ପଦକ ପାଇଲା, ପୂରା ଦେଶ ନବୀନଙ୍କୁ ଶ୍ରେୟ ଦେଲା । ଭାରତୀୟ ହକିର ସ୍ୱର୍ଣ୍ଣିମ ଯୁଗ ଫେରାଇ ଆଣିବା ପଛର ସାରଥୀ ।

141

କନକ ବ୍ୟୁରୋ : କ୍ରୀଡା ଓ ନବୀନ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ କ୍ରୀଡାକୁ ଆଗକୁ ନେବା ଓ କ୍ରୀଡାବିତଙ୍କୁ ପୋତ୍ସାହିତ କରିବା କ୍ଷେତ୍ରରେ ଅନ୍ୟ ରାଜନେତାଙ୍କ ତୁଳନାରେ ନବୀନ ସବୁବେଳେ ଦୁଇ ପାଦ ଆଗରେ । କ୍ରୀଡା ପ୍ରତି ନବୀନଙ୍କ ଅବଦାନ କଣ ତାହା ବାଖ୍ୟା କରିବାର ଆଉ ବୋଧହୁଏ ଆବଶ୍ୟକତା ନାହିଁ । କାରଣ କ୍ରୀଡା ଓ କ୍ରୀଡାବିତଙ୍କୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ ନବୀନ ଯେଉଁ ରାସ୍ତା ଆପଣାଇଛନ୍ତି ସେଥିପାଇଁ ଦେଶର କୋଣ ଅନୁକୋଣରୁ ପ୍ରଂଶସାର ସୁଅ ଛୁଟୁଛି । ନେତା, ଅଭିନେତା, କ୍ରୀଡାବିତ୍, ଶିଳ୍ପପତି, ସାମ୍ବାଦିକ, ସାଧାରଣ ଲୋକ ଦେଶର ଏମିତି କୌଣସି ବର୍ଗ ନାହାନ୍ତି ଯେଉଁମାନେ କ୍ରୀଡା ପ୍ରତି ନବୀନଙ୍କର ଥିବା ଭଲପାଇବା ଦେଖି ପ୍ରଂଶସା କରିନାହାନ୍ତି । ଜାତୀୟ କ୍ରୀଡା ହକିକୁ ପୁନଃଜନ୍ମ ଦେବା ଠାରୁ ଆରମ୍ଭ କରି ଅନ୍ୟ କ୍ରୀଡାକୁ ଆପଣାଇବାରେ କେବେ ବି କୁଣ୍ଠାବୋଧ କରିନାହାନ୍ତି ନବୀନ । ସେଥିପାଇଁ ତ କିଏ ଓଡ଼ିଶାକୁ ହକିର ହବ କହୁଛି ତ ଆଉ କିଏ ଓଡ଼ିଶାକୁ ସ୍ପୋଟ୍ସ କ୍ୟାପିଟାଲର ଟ୍ୟାଗ ଦେଉଛି । ଆଉ ଏହା ପଛର ମୁଖ୍ୟ ନାୟକ ସାଜି ଉଭା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କ୍ରୀଡା ପ୍ରତି ନବୀନଙ୍କର ଏପରି ଭଲପାଇବା ସ୍କୁଲ ସମୟରୁ ରହିଆସିଛି ।

ସ୍କୁଲ ବେଳୁ ହକି ଷ୍ଟିକ ଧରିଥିବା ନବୀନ ରାଜ୍ୟର ମଙ୍ଗ ଧରିବା ପରେ ମଧ୍ୟ ହକି ଖେଳ ପ୍ରତି ଥିବା ଭଲପାଇବାକୁ ଭୁଲି ପାରିନଥିଲେ । ଆଉ ନବୀନ ହକିକୁ କେତେ ଭଲପାଆନ୍ତି ସେତେବେଳେ ପୂରା ଦେଶ ଦେଖିଥିଲା ଯେତେବେଳେ ଭାରତୀୟ ଟିମର ପ୍ରାୟୋଜକରୁ ସାହାର ଓହରିଯାଇଥିଲା । ସେତେବେଳେ ଭାରତୀୟ ହକିର ସ୍ପନସର ହେବାକୁ କୌଣସି ସଂସ୍ଥା ଏତେଟା ଆଗ୍ରହ ଦେଖାଇନଥିଲେ । କିନ୍ତୁ ଏହି ସମୟରେ ନବୀନ ନେଇଥିଲେ ଏମିତି ଏକ ନିଷ୍ପତ୍ତି ଯାହା ପୂରା ଦେଶବାସୀଙ୍କୁ ଚକିତ କରିଦେଇଥିଲା । ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହେବ ବୋଲି ଘୋଷଣା କରି ଦୁର୍ଦ୍ଦିନରେ ଗତି କରୁଥିବା ହକି ଇଣ୍ଡିଆ ମନରେ ସାହସ ଭରିଥିଲେ । ଆଉ ଭାରତୀୟ ହକି ଦଳର ଦାୟିତ୍ୱ ଓଡ଼ିଶା ଉପରକୁ ନେଇ ନବୀନ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଭାରତୀୟ ହକି ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ । ଯାହାର ଫଳାଫଳ ଭାରତକୁ ଅଲିମ୍ପିକ୍ସରେ ମିଳିଥିଲା । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପୋଡିୟମ ଫିନିସ କରିଥିଲା ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା ସତ କିନ୍ତୁ ପୁଣିଥରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଥିଲା । ଆଉ ଏଭଳି ସଫଳତା ପାଇଁ ସେତେବେଳେ ନବୀନଙ୍କୁ ଶ୍ରେୟ ଦେଇଥିଲେ ଦେଶବାସୀ । ପଦକ ଜିତିବା ପରେ ପୁଣିଥରେ ଭାରତୀୟ ହକିକୁ ବଡ ଭେଟି ଦେଇଥିଲେ ନବୀନ । ଆଉ ୧୦ ବର୍ଷ ପ୍ରାୟୋଜକ ରହିବାକୁ ଘୋଷଣା କରି ଭାରତୀୟ ହକି ପ୍ରେମୀଙ୍କ ହୃଦୟ ଜିତିଥିଲେ ନବୀନ । ଓଡ଼ିଶା ହକିର ହବ ଏକଥା ତ ଦେଶ ଜାଣିଥିଲା, କିନ୍ତୁ ହକିକୁ ନେଇ ବିଶ୍ୱସ୍ତରରେ ଓଡ଼ିଶାକୁ ନୂଆ ପରିଚୟ ଦେଇଥିଲେ ନବୀନ ।

ହକି ମ୍ୟାଚ୍ ଆୟୋଜନ କରିବା ପାଇଁ ଯେତେବେଳେ ବିଭିନ୍ନ ରାଜ୍ୟ ପଛଘୁଞ୍ଚା ଦେଇଥିଲେ ସେତେବେଳେ ଆଗେଇ ଆସିଥିଲେ ନବୀନ । ଓଡ଼ିଶାରେ ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ଗ୍ରୀନ୍ ସିଗନାଲ । ମିଶନ ମୋଡରେ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଚାଲିଲା, ଗୋଟିଏ ପରେ ଗୋଟିଏ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟର ସାକ୍ଷୀ ସାଜିଲା ଓଡ଼ିଶା । ହକି ୱାର୍ଲ୍ଡ ଲିଗ୍ ଫାଇନାଲ, ଚାମ୍ପିୟନ୍ସ ଟ୍ରଫି, ହକି ଇଣ୍ଡିଆ ଲିଗର ସଫଳତା ପରେ ଓଡ଼ିଶାକୁ ମିଳିଥିଲା ବିଶ୍ୱକପ ହକି ଆୟୋଜନର ଗୁରୁଦାୟିତ୍ୱ । ଆଉ ଖୁବ୍ କମ ଦିନରେ ହକି ବିଶ୍ୱକପର ସଫଳ ଆୟୋଜନ କରି ପୂରା ବିଶ୍ୱରେ ନୂଆ ପରିଚୟ ସୃଷ୍ଟି କରିଥିଲା ଓଡ଼ିଶା । ଆଉ ହକି ପ୍ରତି ଥିବା ନବୀନଙ୍କ ପ୍ରତିବଦ୍ଧତା ଦେଖି ୨୦୨୩ ହକି ବିଶ୍ୱକପ ଆୟୋଜନ ପାଇଁ ଓଡ଼ିଶା ପାଲଟିଛି ବିଶ୍ୱର ପ୍ରଥମ ପସନ୍ଦର ଭେନ୍ୟୁ । ନବୀନଙ୍କ ଗୋଟିଏ ନିଷ୍ପତ୍ତି ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

ଏସବୁ ଭିତରେ ଆଗକୁ ହକି ବିଶ୍ୱକପ ଓ ଜୁନିୟର ହକି ବିଶ୍ୱକପର ଆୟୋଜନ କରିବ ଓଡ଼ିଶା । ଆସନ୍ତା ନଭେମ୍ବରରେ ହେବାକୁ ଥିବା ଜୁନିୟର ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨୦୨୩ ବିଶ୍ୱକପ ପାଇଁ ଏବେଠୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । କଳିଙ୍ଗ ଷ୍ଟାଡିୟମ ସହ ସୁନ୍ଦରଗଡରେ ନୂଆକରି ନିର୍ମାଣ ହେବାକୁ ଥିବା ଦେଶର ବଡ ହକି ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ ହକି ମ୍ୟାଚ୍ । ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡକୁ ମଧ୍ୟ ହକିର ହବ ଭାବେ ଗଢିତୋଳିବାକୁ ବିଶ୍ୱସ୍ତରୀୟ ଷ୍ଟାଡିୟମର ପୁନାଦି ପକାଇଛନ୍ତି ନବୀନ । ଗାଁରୁ ହିଁ ନୂଆ ନୂଆ ପ୍ରତିଭା ସୃଷ୍ଟି ହୁଅନ୍ତୁ ଏହି ଲକ୍ଷ୍ୟ ନେଇ ସୁନ୍ଦରଗଡ ଉପରେ ଫୋକସ କରିଛନ୍ତି ସରକାର ।

କେବଳ ଯେ ହକି ପ୍ରତି ଭଲପାଇବା ରହିଛି ତାହା ନୁହେଁ ବରଂ ଅନ୍ୟ କ୍ରୀଡାକୁ ମଧ୍ୟ ଅଗ୍ରାଧିକାର ଦେଇଛନ୍ତି ନବୀନ । ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଗ୍ରୀନ୍ ସିଗନାଲ ଦେଇଥିବା ବେଳେ ପୁରୀରେ ଅତ୍ୟାଧୁନିକ ସ୍ପୋଟ୍ସ କମ୍ଲେକ୍ସର କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏହାବାଦ୍ ରଗବୀ ଦଳର ସ୍ପନସର ଭାବେ ଓଡ଼ିଶା ନିଜେ ଦାୟିତ୍ୱ ନେବା ସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦେଶର ପ୍ରଥମ ୨୦୦ ମିଟର ଇନଡୋର ଷ୍ଟାଡିୟମ ନିର୍ମାଣ କରି କ୍ରୀଡାବିତଙ୍କୁ ବଡ ଉପହାର ଦେଇଛନ୍ତି ନବୀନ । କ୍ରୀଡା ପ୍ରତି ନବୀନଙ୍କର ଥିବା ଭଲ ପାଇବା କେବଳ ଓଡ଼ିଶାକୁ ସ୍ପୋର୍ଟ୍ସ କ୍ୟାପିଟାଲର ପରିଚୟ ଦେଇନାହିଁ ବରଂ କ୍ରୀଡାବିତଙ୍କୁ କ୍ୟାରିୟର ଗଢିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ।