ବଢିଲା ଭାରତ-ରୁଷିଆ ସଂପର୍କ : ରୁଷ ସହ ଏକେ-୨୦୩ ରାଇଫଲ୍‌ ଚୁକ୍ତି ସ୍ୱାକ୍ଷର

160

କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ଶୀର୍ଷ ସମ୍ମିଳନୀ ପୂର୍ବରୁ ଦୁଇ ଦେଶ ମଧ୍ୟରେ ୨+୨ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସେମାନଙ୍କ ରୁଷ ପ୍ରତିପକ୍ଷଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ମୋଟ ୪ଟି ରାଜିନାମା ସ୍ବାକ୍ଷର ହୋଇଛି । ଏଥିରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ନିମନ୍ତେ ବହୁପ୍ରତୀକ୍ଷିତ ୫,୧୦୦ କୋଟି ଟଙ୍କାର ୬୦୦,୦୦୦ ଏକେ-୨୦୩ ଆକ୍ରାମକ ରାଇଫଲ ନିର୍ମାଣ ଚୁକ୍ତି ହୋଇଛି। ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ଥିବା କାରଖାନାରେ ଏହା ନିର୍ମାଣ ହେବ। ଭାରତ-ରୁଷିଆ ମଧ୍ୟରେ ସାମରିକ ଓ ସାମରିକ ପ୍ରଯୁକ୍ତି ସହଯୋଗ ଅନ୍ତଃସରକାରୀ କମିସନର ବିଂଶତିତମ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ରୁଷୀୟ ପ୍ରତିପକ୍ଷ ସର୍ଗେ ଶୋଇଗୁଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଅନ୍ୟଗୁରୁତ୍ବପୂର୍ଣ୍ଣ ରାଜିନାମାଟି ହେଉଛି ଦୁଇ ଦେଶ ମଧ୍ୟରେ ୨୦୨୧ରୁ ୨୦୩୧ ମସିହା ପର୍ଯ୍ୟନ୍ତ ୧୦ ବର୍ଷିଆ ସାମରିକ-ବୈଷୟିକ ସହଯୋଗ ଚୁକ୍ତିର ନବୀକରଣ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବାର୍ଷିକ ଶିଖର ସମ୍ମିଳନୀ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଉକ୍ତ ରାଜିନାମା ହୋଇଛି। ଶନିବାର ସରକାର ଘୋଷଣା କରିଥିଲେ ଯେ, ଦୁଇ ଦେଶର ମିଳିତ ପ୍ର‌ୟାସରେ ଉତ୍ତରପ୍ରଦେଶରେ ଏକେ-୨୦୩ ରାଇଫଲ ନିର୍ମାଣ ପାଇଁ ଯୋଜନା ଚୂଡ଼ାନ୍ତ ହୋଇଯାଇଛି।

ଏହି ଯୌଥ ଉଦ୍ୟୋଗର ନାଁ ଦିଆଯାଇଛି ଇଣ୍ଡୋ-ରଷିଆନ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (ଆଇଆର୍‌ଆର୍‌ପିଏଲ୍‌)। ଭାରତର ଆଡ୍‌ଭାନ୍ସଡ ୱିପନ୍ସ ଆଣ୍ଡ୍ ଇକ୍ବିପ୍‌ମେଣ୍ଟ ଇଣ୍ଡିଆ ଲିମିଟେଡ୍‌ ଓ ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ୍ ଏବଂ ରୁଷିଆର ରୋସୋବୋରୋନେକ୍ସପୋର୍ଟ ଆଣ୍ଡ୍ କାଲାଶ୍‌ନିକୋଭ୍‌ ମିଳିତ ଭାବେ ଏହି ଯୌଥ ଉଦ୍ୟୋଗ ତିଆରି କରିଛନ୍ତି। ଭାରତ ଓ ରୁଷିଆ ମଧ୍ୟରେ ପୁଞ୍ଜିର ଭାଗ ରହିବ ଯଥାକ୍ରମେ ୫୦.୫% ଓ ୪୯.୫% । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ ହେଉଛି ଭାରତର ସର୍ବପୁରାତନ ବନ୍ଧୁ ଏବଂ ଦୀର୍ଘ ସମୟ ଭିତରେ ଏହି ବନ୍ଧୁତାରେ କଳାଛିଟା ଲାଗିନାହିଁ। ବହୁପାକ୍ଷିକ ସ୍ବାର୍ଥ ଏବଂ ବିଶ୍ବର ଶାନ୍ତି ଓ ସମୃଦ୍ଧି ଦିଗରେ ଦୁଇ ଦେଶ କାମ କରିବେ । ସେ କହିଲେ ଯେ ଭାରତ କୌଣସି ଦେଶକୁ ଟାର୍ଗେଟ କରି ରୁଷିଆ ସହ ବନ୍ଧୁତା ବଢ଼ାଉ ନାହିଁ। ଏହି ବନ୍ଧୁତା ଦ୍ବାରା ସମଗ୍ର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ବଜାୟ ରହିବା ଆଶା କରାଯାଉଛି ବୋଲି ସେ କହିଥିଲେ ।

ଏକେ-୨୦୩ ରାଇଫଲ ନିର୍ମାଣ ହେଲେ ତାହା ତିନି ଦଶନ୍ଧି ତଳେ ବ୍ୟବହୃତ ଇନସାସ୍‌ ରାଇଫଲର ସ୍ଥାନ ନେବ । ଏହି ଆଧୁନିକ ଅସ୍ତ୍ର ଭାରତୀୟ ସୈନିକମାନଙ୍କର ମନବଳ ଓ ଆକ୍ରାମକ କ୍ଷମତା ବୃଦ୍ଧି କରିବ। ବର୍ତ୍ତମାନ ଓ ଭବିଷ୍ୟତର ଆହ୍ବାନକୁ ମୁକାବିଲା କରିବାରେ ଏହା ସାହାଯ୍ୟ କରିବ । ଭାରତ ମୋଟ ୬୦୧,୨୪୭ଟି ରାଇଫଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ସେଥିମଧ୍ୟରୁ ପ୍ରଥମ ୭୦,୦୦୦ ନିର୍ମାଣ ବେଳେ କାଲିଶ୍‌ନିକୋଭ୍‌ଠାରୁ ଆଇଆର୍‌ଆର୍‌ପିଏଲ୍‌ ପ୍ରଯୁକ୍ତି ଶିଖିବ । ଅର୍ଥାତ୍ ରୁଷିଆଠାରୁ ଭାରତୀୟମାନେ ଜ୍ଞାନକୌଶଳ ହାସଲ କରିବେ। ପରବର୍ତ୍ତୀ ୫,୩୧,୦୦୦ ରାଇଫଲ ସେହି ଜ୍ଞାନକୌଶଳକୁ ପ୍ରୟୋଗ କରି ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ନିର୍ମାଣ କରାଯିବ । ୧୦ ବର୍ଷ ଭିତରେ ସମସ୍ତ ରାଇଫଲ ନିର୍ମାଣ ଶେଷ ହେବ ।