‘ଜମ୍ମୁ-କାଶ୍ମୀର , ଲଦାଖ ଆମର ଥିଲା, ରହିବ ମଧ୍ୟ’: UNGAରେ ପାକିସ୍ତାନ ଉପରେ ଗର୍ଜିଲା ଭାରତ । କ’ଣ କହିଲେ ସଚିବ?

280

କନକ ବ୍ୟୁରୋ: ଜାତିସଂଘ ସାଧାରଣ ସଭାରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ଜାତିସଂଘ ସାଧାରଣ ସଭା ସଚିବ ସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଥିବା ଭାରତର ପ୍ରଥମ ମହିଳା ସଚିବ ସ୍ନେହା ଦୁବେ । ପାକିସ୍ତାନକୁ ଅଗ୍ନିକାଣ୍ଡକାରୀ କହିବା ସହ ପାକିସ୍ତାନ ବିରୋଧରେ ମନ୍ତବ୍ୟ ଦେଇଛନ୍ତି ସ୍ନେହା ।ଆତଙ୍କବାଦୀଙ୍କୁ ଆଶ୍ରୟ, ସାହାଯ୍ୟ ଓ ସମର୍ଥନ ଦେବା ପାକିସ୍ତାନର ଇତିହାସ ଓ ନୀତି ମଧ୍ୟରୁ ଅନ୍ୟତମ । ଛଦ୍ମବେଶରେ ରହି ପାକିସ୍ତାନ ନିଆଁଲଗା କାମ କରୁଛି ବୋଲି କହିଛନ୍ତି ସ୍ନେହା ଦୁବେ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ଆମେରିକା ଗସ୍ତ କାଳରେ ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରିବା ପୂର୍ବରୁ ପାକିସ୍ତାନ ବିରୋଧରେ ବିଷ ଉଦଗାର କରିଛନ୍ତି ସ୍ନେହା । କହିରଖୁଁ କି ଏହା ପୂର୍ବରୁ ଇସ୍ଲାମିକ୍ ସହଯୋଗ ସଂଗଠନ(ଆଇଓସି)ର ୭୪ ତମ ବୈଠକରେ କୁରୈସି ୧୩୧ ପୃଷ୍ଠା ସମ୍ବଳିତ ଏକ ଦସ୍ତାବିଜ ଉପସ୍ଥାପନ କରିଥିଲେ । ଏଥିରେ କାଶ୍ମୀରରେ ହୋଇଥିବା ଦଙ୍ଗା ଗୁଡିକୁ ସାମ୍ନା କରିଥିବା ୩୪୩୨ ଜଣ ପୀଡିତଙ୍କ ବୟାନ ରହିଛି । ଯାହାକୁ ପାକିସ୍ତାନର କିଛି ବରିଷ୍ଠ ଅଧିକାରୀ ଉଭୟ ଅଡିଓ ଓ ଭିଡିଓ ମାଧ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ଦସ୍ତାବିଜର ଗୋଟିଏ ଲେଖାଏଁ କପି ଉପସ୍ଥିତ ଦେଶର ପ୍ରତିନିଧି ମାନଙ୍କୁ ବିତରଣ କରିବାକୁ ଓଆଇସିିର ସେକ୍ରେଟାରୀଙ୍କୁ କୁରୈସୀ ଅନୁରୋଧ କରିଥିଲେ । ଯେପର୍ୟ୍ୟନ୍ତ କାଶ୍ମୀର ବିବାଦ ସମାଧାନ ନହୋଇଛି ସେପର୍ୟ୍ୟନ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କରେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ ବୋଲି ଦୃଢ ଭାବେ କହିଥିଲେ କୁରୈସି ।ଶାହା କୁରୈସୀ କହିଛନ୍ତି ଯେ ଚଳିତ ବର୍ଷ ଫେବୃଆରୀରେ ଅସ୍ତ୍ରବିରତି ଚୁକ୍ତି ପରେ କାଶ୍ମୀର ବିବାଦର ସମାଧାନ ପାଇଁ ଭାରତ ଆଲୋଚନା ଆରମ୍ଭ କରିବ ବୋଲି ପାକିସ୍ତାନ ଆଶା କରିଥିଲା କିନ୍ତୁ ଏହା ବଦଳରେ ଭାରତ କଠୋର ମନୋବୃତ୍ତି ପ୍ରକାଶ କରିଛି । ଆଲୋଚନା ପାଇଁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣର ଆବଶ୍ୟକ ଯାହା ଭାରତର ଦାୟିତ୍ୱ । ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିଲେ ବି ଭାରତ ପ୍ରସ୍ତୁତ ନୁହେଁ ବୋଲି ଅଭିଯୋଗ କରିଥିଲେ କୁରୈସି ।

 

ପାକିସ୍ତାନର ଏପରି ମନମତାଣିଆ ରିପୋର୍ଟକୁ ନେଇ ସତ ଉଗାଳିଛନ୍ତି ସ୍ନେହା ଦୁବେ ।ପାକିସ୍ତାନ ହେଉଛି ଏପରି ଏକ ଦେଶ ଯେଉଁଠି ଆତଙ୍କବାଦୀମାନେ ସ୍ୱାଧୀନ ଭାବେ ବିଚରଣ କରୁଛନ୍ତି । ସେମାନଙ୍କୁ କେବଳ ସ୍ୱାଧୀନତା ଦେଇନି ବରଂ ତାଙ୍କୁ ଢାଲ କରି ସହନଶୀଳ ଭାରତ ଉପରେ ସବୁବେଳେ ଆକ୍ରମଣ କରିଛି । କେବଳ ଭାରତ ନୁହେଁ ପାକିସ୍ତାନର ଏପରି ସ୍ୱାର୍ଥପର ଅମାନବୀୟ କାର୍ଯ୍ୟ ଯୋଗୁଁ କେବଳ ଏସୀୟ ରାଷ୍ଟ୍ର ନୁହଁନ୍ତି ବରଂ ୟୁରୋପୀୟ ରାଷ୍ଟ୍ର ଗୁଡିକ ମଧ୍ୟ ଆତଙ୍କବାଦର ଶିକାର ହୋଇଛନ୍ତି । ଆମେରିକାରେ ୨୬/୧୧ ଆକ୍ରମଣ ଏହାର ଜ୍ୱଳନ୍ତ ଉଦାହରଣ । ନିକଟରେ ଏହାର ୨୦ତମ ବାର୍ଷିକି ପାଳନ କରାଯାଇଥିଲେ ବି  ପାକିସ୍ତାନକୁ ଆତଙ୍କବାଦ ରାଷ୍ଟ୍ର ଭାବେ ଘୋଷଣା କରାଯାଉନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସଚିବ ସ୍ନେହା ଦୁବେ । ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଓସାମା ବିନ୍ ଲାଡେନ ପାକିସ୍ତାନ ମାଟିରେ ହିଁ ପରିପୁଷ୍ଟ ହୋଇଥିଲା । ହେଲେ ତା’ର ମୃତ୍ୟୁକୁ ନେଇ ଶୋକସଭା ପାଳିବା ସହ ତାକୁ ସହିଦ୍ ଘୋଷଣା କଲା ପାକିସ୍ତାନ । ଆଜି ମଧ୍ୟ ପାକିସ୍ତାନର ନେତା ମାନେ ଆତଙ୍କବାଦକୁ ଯଥାର୍ଥ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି । ଆଧୁନିକ ବିଶ୍ୱରେ ଆତଙ୍କବାଦକୁ ଏପରି ସମର୍ଥନ ଆଦୌ ଗ୍ରହଣୀୟ ନୁହେଁ । ପାକିସ୍ତାନ ଛଦ୍ମବେଶରେ ରହି ନିଜେ ଆତଙ୍କବାଦ କରୁଛି । ପାକିସ୍ତାନ ଅଗଣାରେ ଖେଳୁଛି ଆତଙ୍କବାଦ । ଅଗ୍ନିକାଣ୍ଡକାରୀ ପାକିସ୍ତାନର ଏଭଳି ନୀତିର ଦୁଃପରିଣାମ ଭୋଗୁଛି ସାରା ବିଶ୍ୱ । କେବଳ ସୀମା ନୁହେଁ ଭାରତରେ ସଂଖ୍ୟାଲଘୁଙ୍କ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଜାତିଆଣ ତଥା ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାରେ ମଧ୍ୟ ପାକିସ୍ତାନ କମ୍ ମାହିର ନୁହେଁ ବୋଲି କହିଥିଲେ ସ୍ନେହା ଦୁବେ ।

 

ଭାରତ ସବୁ ଦେଶ ସହ ମିତ୍ର ସମ୍ପର୍କ ରଖିବାକୁ ଚାହେଁ । ପାକିସ୍ତାନ ସହ ମଧ୍ୟ ସୁସମ୍ପର୍କ ରଖିବାକୁ ଚାହିଁ ଆସିଛି । ହେଲେ ପାକିସ୍ତାନ ଏଥିପାଇଁ କେବେ ସୁଯୋଗ ଦେଇନାହିଁ । ହେଲେ ସବୁବେଳେ ଭାରତ ଉପରେ ଦୋଷ ଲଦିଆସିଛି । ତେଣୁ ଭାରତ ବେଆଇନ ଭାବେ ଆଡ୍ଡା ଜମାଇଥିବା ସୀମାରୁ ତୁରନ୍ତ ହଟିଯାଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ସ୍ନେହା ଦୁବେ ।