ଦେଶରେ ତଳକୁ ଖସୁଛି କରୋନା ମିଟର… ଲକ୍ଷ ତଳକୁ ରହିଛି ସଂକ୍ରମଣ ହାର

124

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୯୨,୫୦୦ ଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୨୨୦୦ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୨,୫୯୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨,୨୧୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୯୦,୮୯,୦୬୯ ଓ ମୃତ୍ୟୁସଂଖ୍ୟା ୩,୫୩,୫୨୮ରେ ପହଞ୍ଚିଛି ।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୬୨,୬୬୪ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୫,୦୪,୧୨୬ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୨,୩୧,୪୧୫। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୩,୯୦,୫୮,୩୬୦ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୮ ତାରିଖ ସୁଦ୍ଧା ସମୁଦାୟ ୩୭,୦୧,୯୩,୫୬୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୯,୮୫,୯୬୭ଟି ନମୁନା।