ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୫୩,୨୫୬ ପଜିଟିଭ୍ ଚିହ୍ନଟ । ୧୪୨୨ ମୃତ

95

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୩ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୪ ହଜାରରୁ ସାମାନ୍ୟ ଅଧିକ ‌ଥିବା ରେକର୍ଡ କରାଯାଇଛି। ଦୀର୍ଘ ୮୮ ଦିନ ପରେ ଆଜି ସଂକ୍ରମଣ ସଂଖ୍ୟା ସର୍ବନିମ୍ନ ଥିବା ରେକର୍ଡ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୩,୨୫୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୪୨୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୯୯,୩୫,୨୨୧ ଓ ମୃତ୍ୟୁସଂଖ୍ୟା ୩,୮୮,୧୩୫ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୭୮,୧୯୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୮୮,୪୪,୧୯୯ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭,୦୨,୮୮୭। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୮,୦୦,୩୬,୮୯୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୦ ତାରିଖ ସୁଦ୍ଧା ସମୁଦାୟ ୩୯,୨୪,୦୭,୭୮୨ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୩,୮୮,୬୯୯ଟି ନମୁନା।