ପୁଣି ଦେଶରେ ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ : ୨୪ ଘଂଟାରେ ୨୩% ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା

211

କନକ ବ୍ୟୁରୋ : ଦେଶରେ ପୁଣି ବଢିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଂଟାରେ କୋଭିଡ୍ ୧୯ କେସ୍ ୨୩ ପ୍ରତିଶତ ବୃଦ୍ଧି ହୋଇଛି । ଗୋଟିଏ ଦିନରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ପାଖାପାଖି ଦୁଇ ମାସ ପରେ ସବୁଠୁ ଅଧିକ । ଗତ ୨୪ ତାରିଖରେ ସବୁଠୁ କମ ୨୫ ହଜାର ୪୬୭ ନୂଆ ମାମଲା ଆସିଥିଲା । ଏହା ପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ୬୦୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୩୪ ହଜାର ୧୫୯ ଜଣ ଆରୋଗ୍ୟ ହୋଇଛନ୍ତି । ରିକଭରି ରେଟ୍ ରହିଛି ୯୭. ୬୩ ପ୍ରତିଶତ ।

ଦେଶରେ ସକ୍ରିୟ ମାମଲା ୩ ଲକ୍ଷ ୩୩ ହଜାର ୭୨୫ରେ ପହଂଚିଛିି । ଯେଉଁ ରାଜ୍ୟରେ ଦେଶର କରୋନା ସଂକ୍ରମଣର ପ୍ରଥମ କେସ ଚିହ୍ନଟ ହୋଇଥିଲା ସେଠାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ଲାଗି ରହିଥିବା ବେଳେ କେରଳର ଦୈନିକ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟାରେ କେରଳରେ ୩୧ ହଜାର ୪୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ଧରି କେରଳରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । କେରଳରୁ ତୃତୀୟ ଲହର ଆରମ୍ଭ ହେଲା କି, ଏହି ସନ୍ଦେହ ସୃଷ୍ଟି ହୋଇଛି ।