ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ମାମଲା ଚିହ୍ନଟ, ୨ ହଜାର ୨୩ଜଣଙ୍କ ମୃତ୍ୟୁ  

ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ

131

କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ପାଖାପାଖି ହୋଇ ଏଯାବତ୍‌ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୯୫,୦୪୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨,୦୨୩ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୬,୧୬,୧୩୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୨,୦୨୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୮୨,୫୫୩ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୬୭,୪୫୭ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୩୨,୭୬,୦୩୯ । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧,୫୭,୫୩୮ ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୩,୦୧,୧୯,୩୧୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍‌ ୨୦ ସୁଦ୍ଧା ସମୁଦାୟ ୨୭,୧୦,୫୩,୩୯୨ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୬,୩୯,୩୫୭ଟି ନମୁନା ।