ଆଜିର ଦିନରେ ଭାରତ ରଚିଥିଲା ଇତିହାସ । ୧୯୮୩ ମସିହାରେ ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ ଟାଇଟଲ ହାସଲ କରିଥିଲା ଭାରତ । ୱେଷ୍ଟଇଣ୍ଡିଜକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ଟିମ ଇଣ୍ଡିଆ ।

162

କନକ ବ୍ୟୁରୋ: ଆଜି ସେହି ଦିନ ଯେବେ ଭାରତ ରଚିଥିଲା ଇତିହାସ । ଇଂଲଣ୍ଡ ଛାତି ଉପରେ ଛିଡା ହୋଇ ଉଡାଇଥିଲା ବିଜୟ ବାନା । ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ ହାସଲ କରି ହୋଇଥିଲା ବିଶ୍ୱ ବିଜେତା । ହଁ ଆଜ୍ଞା ଆମେ କହୁଛୁ ୧୯୮୩ ମସିହାର ସେହି ଐତିହାସିକ ମୂହୁର୍ତ୍ତ କଥା । ଯେବେ କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସେତେବେଳର ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳକୁ କରିଥିଲେ ଚିତପତାଙ୍ଗ । ଆଉ ୧୯୮୩ ମସିହା ବିଶ୍ୱକପର ହୋଇଥିଲା ବିଶ୍ୱ ବିଜେତା ।

ଜୁନ ୨୫ ତାରିଖ । ଆଜିର ଦିନଟି ପ୍ରତିଟି ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିନ । କାରଣ ଆଜିର ଦିନରେ ଦୁଇ ଦୁଇ ଥର ବିଶ୍ୱ ବିଜେତା ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ଜିତିଥିଲା କ୍ରିକେଟ ବିଶ୍ୱକପ ଟାଇଟଲ । ଆଉ ସେହି ସ୍ମରଣୀୟ ମୂହୁର୍ତ୍ତକୁ ଆଜି ପୂରିଛି ୩୮ ବର୍ଷ । ଆଉ ସେବେ ଠାରୁ ଭାରତୀୟ କ୍ରିକେଟ ଟିମ ପାଇଁ ଆରମ୍ଭ ହୋଇଥିଲା ଏକ ସୁବର୍ଣ୍ଣ ଯୁଗ । ଏହାପରେ ନବେ ଦଶକରେ ଯେତେବେଳେ ବି କ୍ରିକେଟ କଥା ଉଠେ ସେତେବେଳେ ନିହାତି କପିଳ ଦେବ, ସୁନୀଲ ଗାଭାସ୍କର ଆଉ ମଦନ ଲାଲଙ୍କ ଭଳି ଖେଳାଳିଙ୍କ ନାଁ ଯୋଡି ହୋଇ ଯାଏ ।

ତେବେ ଆସନ୍ତୁ ଆଜିର ଏହି ସ୍ମରଣୀୟ ଦିନରେ ମନେ ପକାଇବା ସେହି ଐତିହାସିକ ମ୍ୟାଚ କଥା । କେମିତି ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ ଦଳ ହାତରୁ ମ୍ୟାଚ ଛଡାଇ ଆଣିଥିଲା ଭାରତ ।

୧୯୮୩ ମସିହା, ଜୁନ ୨୫ ତାରିଖ । ସ୍ଥାନ ଇଂଲଣ୍ଡର ଲର୍ଡସ । ୧୯୮୩ ମସିହା ବିଶ୍ୱକପ ଫାଇନାଲ ମ୍ୟାଚ ଥାଏ । ଏହି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତି ଡିପେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଓ ଭାରତ । ଏହି ମ୍ୟାଚରେ ବିଜୟୀ ହେବାକୁ ଉଭୟ ଦଳ ପକ୍ଷରୁ ଚାଲିଥାଏ ରଣନୀତି । ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳର ପଲ୍ଲା ଭାରି ଥାଏ  । କାରଣ ସେହି ସମୟରେ ବେଶ ଶକ୍ତିଶାଳୀ ଟିମ ଥିଲା ଇଣ୍ଡିଜ । ଗତ ଦୁଇଟି ବିଶ୍ୱକପର ଟାଇଟଲ  ମଧ୍ୟ ନିଜ ନାଁରେ କରିସାରିଥିଲା । ଯାହାକି ଭାରତୀୟ ଟିମ ପାଇଁ ବଡ ଚିନ୍ତା ଥିଲା ।

ମ୍ୟାଚ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ଟସ ଜିତି ଇଣ୍ଡିଜ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମେ ବ୍ୟାଟିଂ ଆସିଥିଲା ଭାରତ । ଦଳରେ କପିଳ ଦେବ, ସୁନୀଲ ଗାଭାସ୍କାର, ମହିନ୍ଦର ଅମରନାଥଙ୍କ ଭଳି ଖେଳାଳି ଥାଇ ମଧ୍ୟ ଭାରତ ବିଫଳ  ହୋଇଥିଲା । କାରଣ ସାମ୍ନାରେ ଥିଲା ୱେଷ୍ଟଇଣ୍ଡିଜ ଦଳ । ଟିମ ଇଣ୍ଡିଆ ପକ୍ଷରୁ ଶ୍ରୀକାନ୍ତ ୩୮, ଅମରନାଥ ୨୬ ଓ ସନ୍ଦିପ ପାଟିଲ ୨୭ ରନ କରଥିଲେ । ଫଳରେ ଦଳ ୫୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇଯାଇଥିଲା ।

୧୮୪ରନର ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ ଟିମ ପାଇଁ କିଛି ବି ନଥିଲା । କାରଣ ଦଳରେ ଥିଲେ ଭିଭାନ ରିଚାର୍ଡସ । ଯିଏକି ଏକାକୀ ଇଣ୍ଡିଜକୁ ବିଜୟୀ କରାଇବାର ଦକ୍ଷତା ରଖିଥିଲେ । ସମସ୍ତେ ଭାବି ସାରିଥିଲେ ୱେଷ୍ଟଇଣ୍ଡିଜ ଏହି ମ୍ୟାଚ ଜିତି ହ୍ରାଟିକ ବିଜେତା ବନିବ । ହେଲେ ପୂରା ଅଙ୍କକୁ ବଦଳାଇ ଦେଇଥିଲା ଭାରତୀୟ ଦଳ ।

ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ଏତେ କମ ବିଜୟ ଲକ୍ଷ୍ୟ ଥିବାରୁ ଦୃଢ ଆତ୍ମବିଶ୍ୱାସ ନେଇ ଇଣ୍ଡିଜ ଖେଳାଳି ଖେଳୁଥାନ୍ତି । ପ୍ରଥମ ୱିକେଟ ଯିବା ପରେ ବ୍ୟାଟିଂ ପାଇଁ ଆସିଥିଲେ ଭିଭାନ ରିଚାର୍ଡସନ । ୨/୩ ଓଭର ଖେଳିବା ପରେ ନିଜ ଆକ୍ରାଣାତ୍ମକ ରୂପ ଦେଖାଇଥିଲେ ରିଚାର୍ଡସନ । ଯାହା କପିଳ ଦେବଙ୍କୁ ଚିନ୍ତାରେ ପକାଇଥିଲା । କାରଣ ଦଳର ପ୍ରମୁଖ ବୋଲର ମଦନ ଲାଲ ବି ତାଙ୍କ ସାମ୍ନାରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏହାପରେ ପଡିଆ ମଝିରେ ରିଚାର୍ଡସନଙ୍କ ପାଇଁ କପିଳ ଦେବ କରିଥିଲେ ରଣନୀତି । ଶେଷରେ ରିଚାର୍ଡସନ ୩୩ ରନ କରି ମଦନ ଲାଲଙ୍କ ବଲରେ ଆଉଟ ହୋଇଯାଇଥିଲେ ।

ଏହାପରେ ଭାରତୀୟ ବୋଲଙ୍କ ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ଇଣ୍ଡିଜ ଦଳ । ୫୨ ଓଭର ଖେଳି ୧୪୦ ରନରେ ଅଲଆଉଟ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ ଦଳ । ଫଳରେ ଭାରତ ଏହି ମ୍ୟାଚକୁ ୪୩ ରନରେ ଜିତି ନେଇଥିଲା । ଆଉ ବନି ଯାଇଥିଲା କ୍ରିକେଟ ବିଶ୍ୱକପର ବିଶ୍ୱ ବିଜେତା ।