ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୨୫,୪୬୭ ସଂକ୍ରମିତ, ୩୫୪ ଜଣଙ୍କ ମୃତ୍ୟୁ

41

କନକ ବ୍ୟୁରୋ : ଦେଶରେ କ୍ରମାଗତ ଭାବେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଂଟା ମଧ୍ୟରେ ୨୫,୪୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମାନ ସମୟରେ କରୋନା ସଂକ୍ରମଣରେ ୩୫୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଭାରତରେ ସକ୍ରିୟ ମାମଲା ୩,୧୯,୫୫୧ କୁ ହ୍ରାସ ପାଇଛି । ଏହାସହ ଗତ ୨୪ ଘଂଟାରେ ୩୯,୪୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ କରୋନା ସଂକ୍ରମଣରୁ ମୋଟ ସୁସ୍ଥତା ସଂଖ୍ୟା ୩,୧୭,୨୦,୧୧୨ କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ମୋଟ ୫୦.୯୩ କୋଟି ଲୋକଙ୍କର କରୋନା ଟେଷ୍ଟ କରାଯାଇଛି ।

ସେହିଭଳି ଟିକାକରଣକୁ ଯଦି ନଜର କରିବା ତେବେ ଗତ ୨୪ ଘଂଟାରେ ୬୩,୮୫,୨୯୮ ଜଣଙ୍କୁ ଟିକା ଦିଆଯାଇଛି । ମୋଟ ୫୮.୮୯ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ସେପଟେ କରୋନାର ଦ୍ୱିତୀୟ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିôବା ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ସୋମବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ କେବଳ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଲଗାତର ୪ ଦିନ ଧରି କରୋନା ସଂକ୍ରମଣରେ କୌଣସି ମୃତ୍ୟୁ ହୋଇନାହିଁ ।