ଦୈନିକ ସଂକ୍ରମଣରେ ପୁଣି ଆଜି କରୋନାର ଅଲୋଡା ରେକର୍ଡ । ଗତ ୨୪ ଘଣ୍ଟାରେ ଓଡି଼ଶାରେ ୧୦ ହଜାର ଟପିଲା ସଂକ୍ରମଣ, ସେପଟେ ଦେଶରେ ବି ୪ଲକ୍ଷ ୧୨ ହଜାର ନୂଆ ପଜିଟିଭ୍, ପାଖାପାଖି ୪ ହଜାର ଲୋକଙ୍କ ମୃତ୍ୟୁ ।

338

କନକ ବ୍ୟୁରୋ : ଦେଶରେ ପୁଣି କରୋନାର ଅଲୋଡା ରେକର୍ଡ । ଗତ ୨୪ ଘଂଟାରେ ଦେଶରେ ୪ଲକ୍ଷ ୧୨ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩ ହଜାର ୯୮୦ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ରାଜ୍ୟରେ ପୁଣି ୧୦ ହଜାର ଟପି ଯାଇଛି ସଂକ୍ରମଣ । ଗୋଟିଏ ଦିନରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୦ ହଜାର ୫୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟର ୨୪ଟି ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି ।

ଦୈନିକ ସଂକ୍ରମଣରେ ନୂଆ ରେକର୍ଡ । ଗୋଟିଏ ଦିନରେ ରାଜ୍ୟରେ ୧୦,୫୨୧ ନୂଆ ମାମଲା । ୨୪ ଘଂଟାରେ ଦେଶରେ ୪,୧୨,୨୬୨ କରୋନା ଆକ୍ରାନ୍ତ । ରାଜ୍ୟର କରୋନା ମ୍ୟାପ୍ ଉପରେ ଆସନ୍ତୁ ନଜର ପକାଇବା । ୨୪ଟି ଜିଲ୍ଲା ଏବେ ରେଡ୍ ଜୋନରେ । ଗତ ୨୪ ଘଂଟା ଭିତରେ ପୁଣିଥରେ ୧୦ ହଜାର ଟପିଯାଇଛି ଦୈନିକ ସଂକ୍ରମଣ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି । ଗତ ୬ ଦିନ ଧରି ୮ ହଜାର ଉପରେ ସଂକ୍ରମଣ ପ୍ରତିଦିନ ଦେଖିବାକୁ ମିଳୁଛି ।

୨୪ ଘଂଟାରେ ୪୮ ହଜାର ୩୧୪ କରୋନା ପରୀକ୍ଷା କରାଯାଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୫୨୧ । ଆଉ ଟେଷ୍ଟ-ପଜିଟିଭ୍ ହାର ୨୧.୭୮ ପ୍ରତିଶତ ରହିଛି । ମେ’ ମାସ ପ୍ରଥମ ସପ୍ତାହରେ ପଜିଟିଭିଟି ହାର ପାଖାପାଖି ୨୦ ପ୍ରତିଶତ ରହୁଛି । କେତେବେଳେ ସାମାନ୍ୟ ବଢ଼ିଯାଉଛି ତ କେତେବେଳେ ଟିକେ ହ୍ରାସ ପାଉଛି । ଟେଷ୍ଟ କମିଲେ ଆକ୍ରାନ୍ତ କମୁଛନ୍ତି । ଟେଷ୍ଟ ବଢ଼ିଲେ ମାମଲା ବଢ଼ୁଛି । ମେ’ ମାସ ପହିଲା ଦିନ ପ୍ରଥମ ଥର ପାଇଁ ୧୦ ହଜାର ଟପିଥିଲା ରାଜ୍ୟର ଦୈନିକ ସଂକ୍ରମଣ । ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଯାଇଛି । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୫୮୫ ରେ ପହଁଚିଛି ।

ଓଡ଼ିଶା କରୋନା ମିଟର
ତାରିଖ       ଟେଷ୍ଟ         ପଜିଟିଭ୍          ପଜିଟିଭିଟି ହାର
ମେ’ ୧ :   ୪୭,୪୬୨      ୧୦,୪୧୩           ୨୧.୯୪%
ମେ’ ୨ :   ୪୬,୫୬୦       ୮,୦୧୫             ୧୭.୨୧%
ମେ’ ୩ :  ୪୬,୬୪୩     ୮,୯୧୪             ୧୯.୧୧%
ମେ’ ୪ :   ୪୩,୬୮୨      ୮,୨୧୬             ୧୮.୮୦%
ମେ’ ୫ :   ୪୮,୧୦୧       ୯,୮୮୯              ୨୦.୫୬%
ମେ’ ୬ :   ୪୮,୩୧୪      ୧୦,୫୨୧           ୨୧.୭୮%

ଏପଟେ ଦେଶରେ ମଧ୍ୟ ଗତ ୨୪ ଘଂଟାରେ ୪ ଲକ୍ଷରୁ ଅଧିକ ମାମଲା ଆସିବା ସହ ପୁଣି ଏକ ନୂଆ ରେକର୍ଡ କରିଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୪ ଲକ୍ଷ ୧୨ ହଜାର ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେ’ ମାସ ୧ ତାରିଖରେ ୪ ଲକ୍ଷ ଟପିଥିଲା ଦୈନିକ ସଂକ୍ରମଣ । ଦେଶର ସଂକ୍ରମଣ ମଧ୍ୟ ଟେଷ୍ଟ ସଂଖ୍ୟା ସହ ଉପର ତଳ ହେଉଛି । ତେବେ ଦେଶରେ ଗତ କିଛି ଦିନ ଧରି ୨୦ ପ୍ରତିଶତ ଉପରେ ରହିଛି ଟେଷ୍ଟ-ପଜିଟିଭିଟି ହାର । ଏପରିକି ମେ’ ୩ ଓ ୫ ତାରିଖରେ ୨୫ ପ୍ରତିଶତ ପାଖାପାଖି ରହିଛି ସଂକ୍ରମଣ ହାର । ଅର୍ଥାତ୍ କରୋନା ପରୀକ୍ଷା କରୁଥିବା ୪ ଜଣ ଲୋକଙ୍କ ମଧ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

ସରକାରଙ୍କ ପଦକ୍ଷେପ ସତ୍ୱେ ସଂକ୍ରମଣରେ ବ୍ରେକ୍ ଲାଗୁନାହିଁ । ସଂକ୍ରମଣ ବଢୁଛି ଓ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି । ଗୋଟିଏ ଦିନରେ ୩,୯୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୬୬,୩୯୮ ରେ ପହଁଚିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ପହଁଚିଛି ୨,୩୦,୧୬୮ ।

ଭାରତ କରୋନା ମିଟର
ତାରିଖ         ଟେଷ୍ଟ              ପଜିଟିଭ୍            ପଜିଟିଭିଟି ହାର
ମେ’ ୧ :     ୧୯,୪୫,୨୯୯      ୪,୦୧,୯୯୩          ୨୦.୬୭%
ମେ’ ୨ :     ୧୮,୦୪,୯୫୪     ୩,୯୨,୪୮୮          ୨୧.୭୪%
ମେ’ ୩ :    ୧୫,୦୪,୬୯୮     ୩,୬୮,୧୪୭         ୨୪.୪୭%
ମେ’ ୪ :     ୧୬,୬୩,୭୪୨    ୩,୫୭,୨୨୯          ୨୧.୪୭%
ମେ’ ୫ :     ୧୫,୪୧,୨୨୯      ୩,୮୨,୩୧୫          ୨୪.୮୦%
ମେ’ ୬ :    ୧୯,୨୩,୧୩୧     ୪,୧୨,୨୬୨           ୨୧.୪୪%