ଦେଶର ୫ ରାଜ୍ୟରେ କରୋନା ସଂକ୍ରମଣର ବେଗ ଚିନ୍ତାଜନକ : ୧୭ ଦିନ ପରେ ପୁଣି ଦେଢ ଲକ୍ଷ ଟପିଲା ଆକ୍ଟିଭ ମାମଲା

 କୋଭିଡ ସ୍ଥିତି ଓ ଟିକାକରଣ ଅଭିଯାନର ସମୀକ୍ଷା କଲେ ଅମିତ ଶାହା; ମୁକାବିଲା ପାଇଁ ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନ ସରକାରଙ୍କ କଡା ପଦକ୍ଷେପ

819

କନକ ବ୍ୟୁରୋ : ଦେଶରେ ଦ୍ରୁତ ବେଗରେ କରୋନା ସଂକ୍ରମଣ ମାଡିଚାଲିଛି । ଏହାରି ଭିତରେ ପୁଣି ଦେଢ ଲକ୍ଷ ଟପିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୪ ହଜାର ନୂଆ ମାମଲା ଚିହ୍ନଟ ପରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୫ କୁ ଛୁଇଁଛି । ୧୭ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫ ହଜାର ୮୫୦, ସେମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୧କୋଟି ୬ ଲକ୍ଷ ୯୯ ହଜାର ୪୧୦ । କରୋନା ବର୍ତମାନ ସୁଦ୍ଧା ଦେଶର ୧ ଲକ୍ଷ ୫୬ ହଜାର ୩୮୫ ଜଣଙ୍କ ମୁଣ୍ଡ ନେଲାଣି । ଗତ ୫ଦିନ ଧରି ଯେତିକି ସୁସ୍ଥ ହେଉଛନ୍ତି, ତା’ଠାରୁ ଅଧିକ ଲୋକ କରୋନାରେ ସଂକ୍ରମଣ ହେଉଛନ୍ତି । ଏହି ୫ଦିନ ମଧ୍ୟରେ ୧୩ ହଜାର ୫୦୬ ଜଣ ସକ୍ରିୟ ଆକ୍ରାନ୍ତ ଯୋଡି ହୋଇଛନ୍ତି ।

ସପ୍ତାହ ତଳେ ଦେଢ଼ ପ୍ରତିଶତ ହାରରେ ବଢ଼ୁଥିଲା କରୋନା, ଏବେ ତାହା ୩ ପ୍ରତିଶତକୁ ବୃଦ୍ଧି ପାଇଛି । ଅଚାନକ କରୋନା ସଂକ୍ରମଣ ବଢିବା ଦେଖି ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସ୍ଥିତି ଓ ଟିକାକରଣ ଅଭିଯାନକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଗୃହମନ୍ତ୍ରାଳୟ ଓ ସମ୍ବନ୍ଧିତ ମନ୍ତ୍ରାଳୟର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ଅମିତ ଶାହା । ଗୃହମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଟିକାକରଣ ଅଭିଯାନର ପ୍ରଗତି ବାବଦରେ ପଚାରି ବୁଝିବା ସହ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦେଇଛନ୍ତି ।

ସେପଟେ ମହାରାଷ୍ଟ୍ରରେ କରୋନା ପୁଣି ଅଣାୟତ ହେଉଛି । ଗତ ୨୪ ଘଂଟାରେ ୫ହଜାର ୨୧୦ ପଜିଟିଭ ମାମଲା ଚିହ୍ନଟ ହୋଇଛି । ବିଶେଷ କରି ମୁମ୍ବାଇରେ ସ୍ଥିତି ବିଗୁଡୁଥିବା ଦେଖି ବିଏମସି କମିସନର ଇକବାଲ ସିଂ ଚହଲ କଡା ନିର୍ଦ୍ଦଶନାମା ଜାରି କରିଛନ୍ତି । ବିଏମସି କମିସନରଙ୍କ ନିର୍ଦ୍ଦେଶ ଅନୁସାରେ ୫ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଲଡିଂକୁ ସିଲ କରିଦିଆଯିବ । ମାସ୍କ ପିନ୍ଧୁନଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୩ଶହ ମାର୍ସଲ ନିୟୋଜିତ ହୋଇଛନ୍ତି । ଏହାଛଡା ମେରେଜ ହଲ, ରେଷ୍ଟୁରାଂଟ, ହୋଟେଲ ଓ କ୍ଲବରେ ସାମାଜିକ ଦୂରତା ରକ୍ଷା କରାଯାଉଛି ନା ନାହିଁ ତଦାରଖ କରିବାକୁ ଚଢାଉ ଆଦେଶ ଦେଇଛନ୍ତି ବିଏମସି ।

ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରି ରାଜଧାନୀ ଭୋପାଳ ଓ ଇନ୍ଦୌରରେ ମାସ୍କ ପିନ୍ଧିବା ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ କ୍ରାଇସିସ ମ୍ୟାନେଜମେଂଟ ଗ୍ରୁପର ତୁରନ୍ତ ବୈଠକ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ଶିବରାଜ ସିଂ ଚୌହ୍ୱାନ । ସେପଟେ ଗୁଜୁରାଟ ସରକାର ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଫେରନ୍ତାଙ୍କ ସ୍କ୍ରିନିଂ କରିବା ପାଇଁ ଚେକପୋଷ୍ଟ କରିଛନ୍ତି । ରାଜସ୍ଥାନର ଯୋଧପୁରରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ୧୪୪ ଧାରା ଜାରି କରାଯାଇଛି । ଏଥିସହ ଫେବୃଆରି ୨୨ରୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ବିବାହ ସମାରୋହରେ ଶହେରୁ ଅଧିକ ଲୋକଙ୍କ ସମାଗମ ଉପରେ ରୋକ ଲଗାଇଛନ୍ତି ରାଜସ୍ଥାନ ସରକାର ।