ଦେଶରେ କମୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୯୧,୨୬୬ ଜଣ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ଗଲା ୩ ହଜାରରୁ ଅଧିକ ଜୀବନ । ସୁସ୍ଥ ହାର ଟପିଲା ୯୪ ପ୍ରତିଶତ ।

276

କନକ ବ୍ୟୁରୋ : ଦେଶରେ ବଦଳୁଛି କରୋନା ଗ୍ରାଫ । ଧିରେ ଧିରେ ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହେଲେ ମୃତ୍ୟୁ ସଂଖ୍ୟାରେ ଉଥାନ-ପତନ ଲାଗି ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୯୧ହଜାର ୨୬୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା କିନ୍ତୁ ୩ହଜାର ଉପରେ ରହିଛି । ଦେଶରେ କରୋନା ସୁସ୍ଥ ହାର ବଢ଼ିବାରେ ଲାଗିଛି । ସୁସ୍ଥ ହାର ବୃଦ୍ଧି ପାଇ ୯୪.୯୪ରେ ପହଂଚିଛି ।

ଦୃତ ଗତିରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ଦୁଇ ମାସ ଭିତରେ କରୋନା ସଂକ୍ରମିତ ସଂଖ୍ୟାରେ ବ୍ରେକ୍ ଲାଗୁଥିବା ଦେଖିବାକୁ ମିଳୁଛି । ଲଗାତାର ୪ଦିନ ଧରି କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ତଳେ ରହିଛି । ମାତ୍ର କୋଭିଡ୍ ସଂକ୍ରମଣରେ ମୃତ ସଂଖ୍ୟା ବର୍ତମାନ ସୁଦ୍ଧା କମିନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ୯୧,୨୬୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଗତ ୨୪ ଘଂଟାରେ ମହାମାରୀ କରୋନା ଦ୍ୱାରା ୩ ହଜାର ୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ୧ ଲକ୍ଷ ୩୪ ହଜାର ୫୮୦ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ ଦେଶରେ ୧୧ ଲକ୍ଷ ୨୧ ହଜାର ୬୭୧ କରୋନାର ସକ୍ରିୟ ରୋଗୀ ରହିଛନ୍ତି ।

କୋଭିଡ୍-୧୯ରେ ସଂକ୍ରମଣ ସଂଖ୍ୟା ବେଶ ଦ୍ରୁତ ଗତିରେ କମିବାରେ ଲାଗିଛି । ପ୍ରତ୍ୟେକ ଦିନ ସଂକ୍ରମଣ ହାର ୪.୪୯ ପ୍ରତିଶତ ରହିଛି । ସେହିପରି ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇ ୯୪.୯୩ ପ୍ରତିଶତ ରେକର୍ଡ କରାଯାଇଛି । ବର୍ତମାନ ସୁଦ୍ଧା ଦେଶରେ

– ମୋଟ୍ ସଂକ୍ରମଣ ସଂଖ୍ୟା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩ରହିଛି
– ମୋଟ୍ ସୁସ୍ଥ ସଂଖ୍ୟା ୨ କୋଟି ୭୭ ଲକ୍ଷ ୯୦ ହଜାର ୭୩ ପହଁଚିଛି
– ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୩ ହଜାର ୭୯ ରହିଥିବା ବେଳେ
– ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୪୧୫ରହିଛି

ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ ଆସିଏମଆର ତରଫରୁ ସୂଚନା ମିଳିଛି ଯେ, ବର୍ତମାନ ସୁଦ୍ଧା ମୋଟ୍ ୩୭ କୋଟି ୪୨ ଲକ୍ଷ କରୋନା ପରୀକ୍ଷା ହୋଇ ସାରିଲାଣି । ଦେଶରେ ଟୀକାକରଣ ପ୍ରକ୍ରିୟା ବି ଜୋର୍ ସୋରରେ ଆଗେଇ ଚାଲିଛି । ବର୍ତମାନ ସୁଦ୍ଧା ୨୪ କୋଟି୬୦ ଲକ୍ଷ ବ୍ୟକ୍ତି କରୋନା ଟିକା ନେଇ ସାରିଲେଣି ।