ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ ପଜିଟିଭ୍, ୨ ହଜାର ୬୧୪ ଜଣଙ୍କ ମୃତ୍ୟ

112

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ରହିଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ଲକ୍ଷ ୫୪୪ ରହିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ୫୨ ହଜାର ୯୪୦ ରହିଛି । ତେବେ ମହାମାରୀରୁ ସୁସ୍ଥ ହୋଇଛନ୍ତି ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ଜଣ ।

ଭାରତରେ ମାତ୍ର ୩ ଦିନରେ ପାଖାପାଖି ୧୦ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ଏହାସହ ଲଗାତର ଚତୁର୍ଥ ଦିନରେ ଦେଶରୁ ଦୈନିକ ୨ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଲଗାତର ଦୈନିକ ସଂକ୍ରମଣ ବଢିଚାଲିଥିବା ବେଳେ ଏବେ ବେଙ୍ଗାଲୁରୁରେ ସର୍ବାଧିକ ସଂକ୍ରୀୟ ସଂକ୍ରମିତ ରହିଛନ୍ତି । ଶୁକ୍ରବାର ସୁଦ୍ଧା ବେଙ୍ଗାଲୁରୁରେ ୧ଲକ୍ଷ ୪୯ହଜାର ୬୨୪ ସଂକ୍ରୀୟ ସଂକ୍ରମିତ ରହିଛନ୍ତି । ଏହାସହ ସାରା ଦେଶରେ ବେଙ୍ଗାଲୁରୁ ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲା ବନିଯାଇଛି । କର୍ଣ୍ଣାଟକ ଟାସ୍କ ଆଡଭାଇଜୋରୀ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୪ଦିନିଆ କଡାକଡି ଲକଡାଉନ କଟକଣା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ସଂକ୍ରମଣ ରୋକିବାରେ ସଫଳତା ମିଳିବ ବୋଲି କୁହାଯାଉଛି ।

ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଚିନ୍ତା ବଢାଇଛନ୍ତି ୧୦ଟି ରାଜ୍ୟ । ଏହି ୧୦ଟି ରାଜ୍ୟରୁ ପ୍ରାୟ ୭୫ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶର ୧୦ଟି ରାଜ୍ୟରୁ ୭୪.୧୫ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ରାଜ୍ୟ ଗୁଡିକ ହେଲା,  ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, ଗୁଜରାଟ ଓ ରାଜସ୍ଥାନ ।ଦେଶର କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ପ୍ରାୟ ୧୩କୋଟି ୮୩ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି ।