ଦେଶରେ ୧% ତଳକୁ ଖସିଲା ସକ୍ରିୟ ମାମଲା : ଗତ ୨୪ ଘଣ୍ଟାରେ ୧୦, ୨୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୨୫ ମୃତ

୨୦୨୦ ମାର୍ଚ୍ଚ ପରେ ସର୍ବାଧିକ ସୁସ୍ଥତା ହାର; ୫୨୩ ଦିନ ପରେ ଆକ୍ଟିଭ କେସ୍ ୧ଲକ୍ଷ ୩୪ ହଜାର ୯୬

125

କନକ ବ୍ୟୁରୋ : ଦେଶରେ ସକ୍ରିୟ ମାମଲା ୧% ତଳକୁ ଖସିଲା । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୦ ଦଶମିକ ୩୯ ପ୍ରତିଶତ । ୧ ଲକ୍ଷ ୩୪ ହଜାର ୯୬ ଆକ୍ଟିଭ୍ କେସ୍ ରହିଛି । ୫୨୩ ଦିନ ଅର୍ଥାତ୍ ୧୭ ମାସ ପରେ ଏହା ସବୁଠୁ କମ୍ । ସେହିପରି ଆରୋଗ୍ୟ ହାର ୯୮ ଦଶମିକ ୨୬ ପ୍ରତିଶତ ରହିଛି । ଯାହାକି ମାର୍ଚ୍ଚ ୨୦୨୦ ପରଠାରୁ ସର୍ବାଧିକ । ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୪୯ ହଜାର ୭୮୫ରେ ପହଂଚିଛି ।

ସେହିପରି ଗତ ୨୪ ଘଂଟାରେ ୧୦ ହଜାର ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ୪୨ ଦିନ ପରେ ଦୈନିକ ସଂକ୍ରମଣ ହାର ୨ ପ୍ରତିଶତ ତଳକୁ ଖସିଛି । ଦୈନିକ ସଂକ୍ରମଣ ହାର ୧ ଦଶମିକ ୧୨ ପ୍ରତିଶତ ରହିଛି । ସେହିପରି ସାପ୍ତାହିକ ସଂକ୍ରମଣ ହାର ୫୨ ଦିନ ପରେ ୨ ପ୍ରତିଶତ ତଳକୁ ଖସିଛି । ବର୍ତମାନ ସୁଦ୍ଧା ୬୨ କୋଟି ୪୬ ଲୋକଙ୍କ କରୋନା ଟେଷ୍ଟ କରାଯାଇଛି । ସେହିପରି ୧୧୨ କୋଟି ୩୪ ଲକ୍ଷ ୩୦ ହଜାର ୪୭୮ ଜଣଙ୍କୁ କରୋନା ଟିକା ଦିଆସରିଲାଣି ।