୧୩ଶହ ଟପିଲା ଦୈନିକ ସଂକ୍ରମଣ, ୪ମାସରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

233

କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ୧୩ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୧୪୦ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୧୩ଶହ ଟପିବା ଚିନ୍ତାର କାରଣ ପାଲଟିିି । ଏଥିସହ କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି   । ସେପଟେ କେରଳର ସ୍ଥିତି ବେହାଲ ହେବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୧୭୨ଜଣ ରହିଛନ୍ତି । ୧୪ଟି ଜିଲ୍ଲାକୁ ହାଇଆଲର୍ଟ ରଖାଯାଇଛି । ସମସ୍ତ ସରକାରୀ ଓ ମେଡିକାଲ ହସପିଟାଲକୁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତରେ କୋଭିଡ ଅନୁରୂପ ବ୍ୟବହାର ଜରୁରୀ, ସନ୍ଦେହ ପ୍ରକାଶ ହେଲେ ଟେଷ୍ଟ କରନ୍ତୁ, ଗହଳି ସ୍ଥାନରୁ ଦୂରେଇ ରହିବା ଜରୁରୀ, ଆବଶ୍ୟକ ପଡିଲେ ଟେଷ୍ଟ କରିବା, ଡାକ୍ତରଙ୍କ ପରାମର୍ଶ ଲୋଡିବା ଜରୁରୀ । ବର୍ତମାନ ଲକଡାଉନ କିମ୍ବା କୌଣସି କଟକଣାରୁ ଆବଶ୍ୟକତା ନାହିଁ । ସଜାଗ ଏବଂ ସତର୍କ ରହିବା ନିହାତି ଜରୁରୀ ଅଟେ ।

ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିବାବେଳେ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଧ୍ୟ ବୈଠକ କରିଛି । ଟେଷ୍ଟ, ଟ୍ରିଟମେଣ୍ଟ, ଟ୍ରାକ, ଟିକା ଉପର ଜୋର ଦେବା ସହ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ଗୋଟେପଟେ ଇନଫୁଏଂଜା ମାମଲା ବୃଦ୍ଧି ଅନ୍ୟପଟେ କରୋନା ସଂକ୍ରମଣ ବଢ଼ିବା ନିଶ୍ଚିତଭାବେ ଦେଶ ପାଇଁ ଡବଲ ଟେନସନ ଆଣିଛି । ମହାରାଷ୍ଟ୍ର, ଦିଲ୍ଲୀ, ହିମାଚଳପ୍ରଦେଶ, କେରଳ, ତାମିଲନାଡୁ. ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ୮ଟି ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଓ ଏହା ପଛରେ କୋଭିଡ ଏକ୍ସବିବି.୧.୧୬ ଭାରିଆଣ୍ଟ ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି  ।