କରୋନା ପରୀକ୍ଷା ପାଇଁ ଚୀନରୁ ଆସୁଛି କିଟ୍ । ଆଗାମୀ ୧୫ ଦିନ ମଧ୍ୟରେ ଭାରତକୁ ଆସିବ ୨୦ ଲକ୍ଷ କିଟ୍ ।

1,241

କନକ ବ୍ୟୁରୋ : ଭାରତରେ କରୋନା ପରୀକ୍ଷା ପାଇଁ ଚୀନରୁ ଆସୁଛି କିଟ୍ । ଗୋଟିଏ ଥରରେ ଆଜି ୬ଲକ୍ଷ ୫୦ ହଜାର ପରୀକ୍ଷା କିଟ୍ ପଠାଇଛି ଚୀନ୍ । ଏମିତି କି ଆଗାମୀ ୧୫ ଦିନ ଭିତରେ ପ୍ରାୟ ୨୦ ଲକ୍ଷ କିଟ୍ ଭାରତ ଆସିବ । ବଡ଼ କଥା ହେଉଛି ଚୀନରୁ ଆସୁଥିବା ଏହି ରାପିଡ୍ ଆଣ୍ଟବଡ଼ି ଟେଷ୍ଟିଂ କିଟ୍ ଜରିଆରେ ଅତିଶୀଘ୍ର କରୋନା ପରୀକ୍ଷା ହୋଇପାରିବ । ଯାହା ବର୍ତମାନ ସ୍ଥିତିରେ କରୋନା ମୁକାବିଲା ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏଣିକି କୋଭିଡ୍-୧୯ ପରୀକ୍ଷଣ ଅଧିକ ମାତ୍ରାରେ ହେବ ସମ୍ଭବ । କମ୍ ସମୟରେ ବି ହୋଇପାରିବ କରୋନା ଯାଞ୍ଚ । କାରଣ ଭାରତକୁ ଏକା ଥରକେ ଚୀନରୁ ଆସୁଛି ୬ ଲକ୍ଷ ୫୦ ହଜାର ଟେଷ୍ଟିଂ କିଟ୍ । କରୋନା ଯାଞ୍ଚ ପାଇଁ ୬ ଲକ୍ଷ ୫୦ ହଜାର ରାପିଡ୍ ଆଣ୍ଟିବଡ଼ି ଟେଷ୍ଟିଂ କିଟ୍ ଏବଂ ଆରଏନଏ ଏକ୍ସଟ୍ରାଆକ୍ସନ୍ କିଟ୍ ଭାରତ ପଠାଯାଇଥିବା ଚୀନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଗାମୀ ୧୫ ଦିନ ଭିତରେ ଚୀନରୁ ପ୍ରାୟ ୨୦ ଲକ୍ଷ ଟେଷ୍ଟ କିଟ୍ ଭାରତ ଆସିବ ।

ବଡ଼ କଥା ହେଉଛି ଚୀନରୁ ଆସୁଥିବା ଏହି ରାପିଡ୍ ଆଣ୍ଟିବଡ଼ି ଟେଷ୍ଟିଂ କିଟ୍ ଜରିଆରେ ଅତିଶୀଘ୍ର କରୋନା ପରୀକ୍ଷା ହୋଇପାରିବ । ମାତ୍ର ୧୫ ମିନିଟରେ ଜଣାପଡ଼ିଯିବ, ପରୀକ୍ଷା ହୋଇଥିବା ବ୍ୟକ୍ତିର ନମୁନାରେ କରୋନା ଭୁତାଣୁ ଅଛି କି ନାହିଁ । ଏହି ରାପିଡ୍ ଆଣ୍ଟିବଡ଼ି ଟେଷ୍ଟ କିଟର ବିଶେଷତ୍ୱ ହେଉଛି- ଏଥିରେ ସ୍ୱାବ୍ ନମୂନା ବଦଳରେ ରକ୍ତ ନମୂନା ଜରିଆରେ କରୋନା ପରୀକ୍ଷା କରିବା ହୋଇପାରିବ । ଫଳରେ ଏହି କିଟ୍ ହଟସ୍ପଟ୍ ଅଂଚଳରେ ଅଧିକ ଉପଯୋଗୀ ହୋଇ ପାରିବ । ସେହିପରି କରୋନା ଭୂତାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ ରୀତିମତ ପରୀକ୍ଷା ପାଇଁ ଏହି କିଟ୍ ବେଶ ସାହାଯ୍ୟ କରିବ ।

କରୋନା ଯାଞ୍ଚ ପାଇଁ ପୂର୍ବରୁ ଚୀନ ପଠାଇଥିବା ୫ ଲକ୍ଷ ସ୍ପେଶାଲ କିଟ୍ ଭାରତ ବଦଳରେ ଆମେରିକା ପହଁଚି ଯାଇଥିଲା । ଭାରତ ଯେଉଁ କମ୍ପାନୀକୁ ଟେଷ୍ଟିଂ କିଟର ଅର୍ଡର ଦେଇଥିଲା, ସେହି କମ୍ପାନୀ ଭୁଲବଶତଃ ଭାରତ ବଦଳରେ ୫ ଲକ୍ଷ କିଟ୍ ଆମେରିକା ପଠେଇ ଦେଇଥିଲା । ଏପଟେ ଚୀନର ଚିକିତ୍ସା ଉପକରଣ ନେଇ ଯେଉଁ ସବୁ ସନ୍ଦେହ ସୃଷ୍ଟି ହେଉଛି, ଏହା ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛି ଚୀନ୍ । ଏଥିରେ କୁହାଯାଇଛି- ଚୀନରେ ଏକାଧିକ କମ୍ପାନି ଚିକିତ୍ସା ଉପକରଣ ଯୋଗାଉଛନ୍ତି । ଯେଉଁ କମ୍ପାନି ଅଧିକ ବିଶ୍ୱସ୍ତ ଲାଗୁଛି ତାଙ୍କଠାରୁ ଚିକିତ୍ସା ଉପକରଣ ନେଇପାରିବେ ବୋଲି ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ।