କନକ ବ୍ୟୁରୋ: ଆଉ କିଛି ଘଂଟାର ଅପେକ୍ଷା । ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ଜି-୨୦ ଇଣ୍ଡିଆ ପକ୍ଷରୁ ଏକ ଭିଡିଓ ଜାରି କରି ପୂରା ସୂଚନା ଦିଆଯାଇଛି । ଦିଲ୍ଲୀ ଭାରତ ମଣ୍ଡପମ୍ରେ ହେବ ସମସ୍ତ ବୈଠକ । ୧୪ ନମ୍ବର ହଲରେ ଏକାଠି ବସିବେ ବିଶ୍ୱନେତା । ସମ୍ମିଳନୀରେ ଯୋଗ ଦେଉଥିବା ସମସ୍ତ ଦେଶର ପ୍ରତିନିଧି ଏହିଠାରେ ରହିବେ । ଜି-୨୦ ଶିଖର ସମ୍ମିଳନୀର ମୁଖ୍ୟ ସଂଯୋଜକ ହର୍ଷବର୍ଦ୍ଧନ ସ୍ରିଙ୍ଗଲା ନିଜେ ଆୟୋଜନସ୍ଥଳ ସହ ପରିଚିତ କରାଇ ଦେଇଛନ୍ତି । ଭାରତ ମଣ୍ଡପମ୍ରେ ରହିଛି ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ରର ଜନ୍ମ ଓ ଏହାର କ୍ରମବିକାଶର ଚିତ୍ର । ଏହିଠାରେ ବିଶ୍ୱନେତାଙ୍କୁ ସ୍ୱାଗତ କରିବା ପାଇଁ ବନ୍ଦୋବସ୍ତ ହୋଇଛି । ଜି-୨୦ ଦେଶଗୁଡିକର ଧ୍ୱଜା ଓ ସେମାନଙ୍କ ଭାଷାରେ ଦେଶର ନାଁ ମଧ୍ୟ ଏଠାରେ ଲେଖାଯାଇଛି । ବିଦେଶରୁ ଆସୁଥିବା ଅତିଥିଙ୍କ ପାଇଁ ରହିଛି ଡିଜିଟାଲ ବୋର୍ଡ । ବିଦେଶରୁ ଆସୁଥିବା ପ୍ରତିନିଧିମାନେ ଏହିଠାରୁ ଆୟୋଜନସ୍ଥଳ ବାବଦରେ ସୂଚନା ପାଇପାରିବେ । ଏହାରି ଭିତରେ ରହିଛି ବିଭିନ୍ନ ଦେଶ ପାଇଁ ସ୍ୱତନ୍ତ୍ର ୨୯ଟି ପ୍ରକୋଷ୍ଠ । ସେହିପରି ଅନ୍ତର୍ଜାତୀୟ ସଂଗଠନ ପାଇଁ ୧୪ଟି ଅଫିସ ଖୋଲା ଯାଇଛି । ଅତିଥିମାନେ ବସିବା, ପରସ୍ପର ସହ ଆଲୋଚନା କରିବା ପାଇଁ ଏକ ବଡ ହଲର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Advertisment

ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ୱନେତା ମାନଙ୍କ ଆଗମନ ଜାରି ରହିଛି । ଅଲବେର୍ଟୋ ଫର୍ଣ୍ଣାଣ୍ଡିଜ୍ ... ଆର୍ଜେଂଟିନାର ରାଷ୍ଟ୍ରପତି ଅଲବେର୍ଟୋ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ । ଜର୍ଜିଆ ମେଲୋନୀ ... ସେହିପରି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ପହଂଚିବା ସମୟରେ ତାଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିଥିଲେ କେନ୍ଦ୍ରମନ୍ତ୍ରୀ ଶୋଭା କରଣ ଗୁଲାଚେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସ୍ୱାଗତ ପାଇଁ ଦିଲ୍ଲୀ ବିମାନବନ୍ଦରରେ ହୋଇଥିବା ସ୍ୱତନ୍ତ୍ର ଆୟୋଜନ । ପଞ୍ଜାବି ଗୀତର ତାଳତୋଳେ ନୃତ୍ୟ ପରିବେଷଣ କରି କଳାକାର ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଆସନରେ ବସିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କୁ ଜୟ ଶ୍ରୀରାମ କହି ସ୍ୱାଗତ କରିଥିଲେ ।

ଶନିବାର ଔପଚାରିକ ଭାବେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷୀକ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥଙ୍କ ସହ ଆଲୋଚନା କରିଛନ୍ତି ମୋଦୀ । ୩ ଦିନରେ ମୋଦୀ ପ୍ରାୟ ୧୫ଜଣ ନେତାଙ୍କ ସହ ମୋଦୀ ଆଲୋଚନା କରିବେ ବୋଲି ଜଣାପଡିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ବା ଟ୍ୱିଟରରେ ସୂଚନା ଦେଇଛନ୍ତି ମୋଦୀ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ୟୁକେ, ଜାପାନ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଏବଂ ଜର୍ମାନୀ ଚାନସିଲରଙ୍କ ସହ ଆଲୋଚନା କରିବେ । ୧୦ ତାରିଖରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପାଇଁ ୱାର୍କିଂ ଲଂଚର ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କାନାଡା, ତୁର୍କୀ, ୟୁଏଇ, ଦକ୍ଷିଣ କୋରିଆ, ବ୍ରାଜିଲ ଓ ନାଇଜେରିଆ ରାଷ୍ଟ୍ରମୁଖ୍ୟଙ୍କ ସହ ମଧ୍ୟ ମୋଦୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।