ଇକୋସିଷ୍ଟମ ଏବଂ ୟୁନିକର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ୩ୟ ସ୍ଥାନରେ ଭାରତ, ବଢିଚାଲିଛି ଷ୍ଟାର୍ଟଅପ ଇକୋସିଷ୍ଟମ୍ ।

86

କନକ ବ୍ୟୁରୋ: ଭାରତରେ ଦିନକୁ ଦିନ ନୂଆ ନୂଆ ଷ୍ଟାର୍ଟଅପ ସୃଷ୍ଟି ହୋଇଚାଲିଛି । ବର୍ତ୍ତମାନର ଯୁବପିଢୀ ଏଥିପ୍ରତି ବେସ ଆଗ୍ରହୀ ଥିବା ବେଳେ କେନ୍ଦ୍ର ସରକାରଙ୍କ ଦକ୍ଷତାବିକାଶକୁ ପ୍ରାଧାନ୍ୟ ପରେ ଦେଶରେ ଷ୍ଟାର୍ଟଅପର ନୂଆ ଯୁଗ ଆରମ୍ଭ ହୋଇସାରିଛି । ନିକଟରେ ବିଶ୍ୱ ଷ୍ଟାର୍ଟଅପର ଇକୋ ସିଷ୍ଟମ ଏବଂ ୟୁନିକର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ଥିବା ରିପୋର୍ଟ ସାମ୍ନାକୁ ଆସିଛି । ଦେଶରେ ଥିବା ୧୦୫ଟି ୟୁନିକର୍ଣ୍ଣରୁ ୨୦୨୧ରେ ୪୪ଟି ଏବଂ ୨୦୨୨ରେ ୧୯ଟି ସୃଷ୍ଟି ହୋଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଡିଏସଟି ଷ୍ଟାର୍ଟଅପ ଉତ୍ସବରେ ଉଦବୋଧନ ଦେବାବେଳେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବିଶେଷ ଧ୍ୟାନ ଦେଉଛନ୍ତି । ସେ ବିଶେଷ କରି ଯୁବବର୍ଗ ବିଭିନ୍ନ ଅସୁବିଧାର କେଉଁଭଳି ସମାଧାନ କରିବେ ସେଥିପାଇଁ ନୂଆ ନୂଆ ଜ୍ଞାନ ହାସଲ କରିପାରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତରେ ଷ୍ଟାର୍ଟଅପ କେବଳ ମୋଟ୍ରା ସହରରେ ନରହି ଛୋଟ ଛୋଟ ସହର ଏବଂ ଗାଁରେ ମଧ୍ୟ ପହଞ୍ଚି ପାରିଛି । କେବଳ ବଡ ବଡ ସହର ନୁହେଁ ଟିୟର-୨, ଟିୟର-୩ ସହରରେ ୪୯ ପ୍ରତିଶତ ଷ୍ଟାର୍ଟଅପ ସୃଷ୍ଟି ହୋଇଛି । ବିଶେଷକରି ଆଇଟି, କୃଷି, ବିମାନସେବା, ଶିକ୍ଷା, ଶକ୍ତି, ସ୍ୱାସ୍ଥ୍ୟ, ମହାକାଶ କ୍ଷେତ୍ରରେ ନୂଆ ନୂଆ ଷ୍ଟାର୍ଟଅପ ସୃଷ୍ଟି ହେବାରେ ଲାଗିଛି ।

ଭାରତ ବର୍ତ୍ତମାନ ବିଶ୍ୱ ଷ୍ଟାର୍ଟଅପର ଇକୋ ସିଷ୍ଟମ ଏବଂ ୟୁନିକର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଆମ ପାଖରେ ନିବେଶ କରିବାର ମଧ୍ୟ ପ୍ରକୃଷ୍ଟ ସୁଯୋଗ ରହିଛି । ବିଶେଷ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଏହିଭଳି ସଫଳତା ମିଳିପାରୁଛି । ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୁବପିଢୀ ଆକ୍ଟିଭ ହୋଇ କାମ କରୁଛନ୍ତି ।

ଗ୍ଲୋବାଲ ଇନଭୋସନ ଇନଡେକ୍ସ (ଜିଆଇଆଇ)ର ବିଶ୍ୱସ୍ତରୀୟ ମାନ୍ୟତାରେ ୨୦୧୫ ମସିହାରେ ଭାରତ ୮୧ ତମ ସ୍ଥାନରେ ଥିବା ବେଳେ ୨୦୨୧ ମସିହାରେ ୪୬ ତମ ସ୍ଥାନରେ ରହିଛି । ୧୩୦ଟି ଦେଶ ମଧ୍ୟରେ ଭାରତ ଏହି ସଫଳତା ହାସଲ କରିଛି । ସେହିଭଳି ୩୪ ଟି ନିମ୍ନ ମଧ୍ୟମ ଆୟ ଦେଶ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ୧୦ଟି କେନ୍ଦ୍ରୀୟ ଓ ଦକ୍ଷିଣ ଏସୀୟ ଦେଶର ଅର୍ଥନୀତି ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତରେ ଷ୍ଟାର୍ଟଅପ ଇକୋ ସିଷ୍ଟମ ଓ ୟୁନିକର୍ଣ୍ଣ ବୃଦ୍ଧି ଯୋଗୁ ଜିଆଇଆଇ ରାଙ୍କିରେ କ୍ରମାଗତ ଉନ୍ନତି ହୋଇଚାଲିଛି ।