କରୋନା ମୁକାବିଲା ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ: ଆବଶ୍ୟକ ପଡିଲେ କର୍ଫ୍ୟୁ ଲାଗୁ କର; ଲୋକଙ୍କୁ ଘରେ ରଖିବାକୁ ପଦକ୍ଷେପ ନେବାକୁ କେନ୍ଦ୍ରର ପରାମର୍ଶ

4,685

କନକ ବ୍ୟୁରୋ: ଦେଶରେ କରୋନାର ମୁକାବିଲା ପାଇଁ ଆବଶ୍ୟକ ପଡିଲେ କର୍ଫ୍ୟୁ ଜାରି କରିବାକୁ ରାଜ୍ୟଗୁଡିକୁ କହିଛନ୍ତି କେନ୍ଦ୍ର ସରକାର । ଲୋକଙ୍କୁ ଘର ମଧ୍ୟରେ ରଖିବା ଲାଗି ଏଭଳି ପଦକ୍ଷେପ ନେବାକୁ କହିଛି କେନ୍ଦ୍ର । ତେବେ କରୋନା ସମ୍ପର୍କରେ ସଚେତନ କରିବା ପାଇଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଲକ ଡାଉନ ଘୋଷଣା କରାଯାଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦେଶର ବିଭିନ୍ନ ଅଂଚଳକୁ ଲକ୍ ଡାଉନ୍ ବା ତାଲା ବନ୍ଦ କରି ଦିଆଯାଇଛି । ସରକାରଙ୍କ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ନିୟମକୁ ମାନୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟଗୁଡିକୁ କହିଛନ୍ତି କେନ୍ଦ୍ର ସରକାର । ଏପଟେ ଓଡ଼ିଶାର ଆଜି ୧୪ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି ମଧ୍ୟ ରାତ୍ରୀରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାକୁ ତାଲା ବନ୍ଦ ଘୋଷଣା କରାଯାଇଛି ।

ସେହିପରି ମହାରାଷ୍ଟ୍ର ସରକାର ରାଜ୍ୟବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି । ସବୁ ଜିଲ୍ଲାର ବର୍ଡରକୁ ସିଲ୍ କରାଯାଇଛି । ଜିଲ୍ଲା-ଜିଲ୍ଲା ମଧ୍ୟରେ ପରିବହନ ବ୍ୟବସ୍ଥାରେ କଟକଣା ଲଗାଇଛନ୍ତି ଉଦ୍ଧବ ଠାକରେ ସରକାର । ପଂଜାବରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, କିଛି ଲୋକ ଲକ୍ ଡାଉନକୁ ଗୁରୁତ୍ୱର ସହ ନେଉନାହାନ୍ତି । ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ସରକାରଙ୍କ କଟକଣା ଓ ନିର୍ଦ୍ଦେଶନାମାକୁ ଗୁରତ୍ୱର ସହ ନେବାକୁ ଅନୁରୋଧ କରିଛନ୍ତି ମୋଦୀ । ସେହିପରି ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।