କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ସହ ଅନ୍ୟ ବିରୋଧୀ ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ରାଲି କରିବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଏହି ମେଗା ରାଲିରେ ଯୋଗ ଦେବେ।

ବରିଷ୍ଠ ଆପ୍ ନେତା ଗୋପାଳ ରାୟ କହିଛନ୍ତି ଯେ ରାମଲୀଳା ମଇଦାନରେ ୨୦ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଏକ ରାଲି କରିବାକୁ ପ୍ରଶାସନକୁ ଅନୁମତି ମିଳିଛି। ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏହି ମେଗା ରାଲିକୁ ସମ୍ବୋଧିତ କରିବେ କି ନାହିଁ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ରାୟ କହିଛନ୍ତି। କଂଗ୍ରେସ କହିଛି ଯେ ରାମଲୀଳା ମଇଦାନରେ ହେବାକୁ ଥିବା ବିରୋଧୀ ମେଣ୍ଟ 'ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ' (ଇଣ୍ଡିଆ)ର 'ସେଭ୍ ଡେମୋକ୍ରାସି ରାଲି' କୌଣସି ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ବୋଲି କଂଗ୍ରେସ କହିଛି ।

ଏହି ରାଲିରେ ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ'ବ୍ରାଏନ୍, ଡିଏମ୍ କେ ନେତା ତିରୁଚି ଶିବା, ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଯୋଗଦେବେ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଏହି ରାଲିରେ ଯୋଗଦେବେ। ହେମନ୍ତ ସୋରେନ ଏବେ ଜେଲରେ ଅଛନ୍ତି । ପାର୍ଟି ନେତାମାନେ କହିଛନ୍ତି ଯେ ସେମାନେ ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସହ ଯୋଗାଯୋଗରେ ଅଛନ୍ତି, ଯେଉଁମାନେ ରାଲିରେ ଯୋଗ ଦେଇପାରନ୍ତି ।